ଜାତୀୟ

ଓୱେସୀଙ୍କ ସହ ମେଣ୍ଟ ଯୋଜନା କରୁଛନ୍ତି ହୁମାୟୁନ !

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ଚର୍ଚ୍ଚାରେ ରହିଥିବା ତୃଣମୂଳ କଂଗ୍ରେସ (ଟିଏମସି)ର ନିଲମ୍ବିତ ବିଧାୟକ ହୁମାୟୁନ କବିର ଆଗକୁ ଆଉ ଏକ ବଡ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଶନିବାର ବାବ୍ରି ମସ୍‌ଜିଦ ଭଙ୍ଗା ଦିବସ (ଡିସେମ୍ବର ୬)ରେ ମୁର୍ଶିଦାବାଦରେ ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ହୁମାୟୁନ ଯେଉଁ ଜନସମର୍ଥନ ପାଇଛନ୍ତି ତାହା ଆଗାମୀ ଦିନରେ ଶାସକ ଟିଏମସି ପାଇଁ ବିପଦ ହେବାକୁ ଯାଉଛି। ଜନସମର୍ଥନ ପାଇଥିବା ହୁମାୟୁନ ଏବେ ପଶ୍ଚିମବଙ୍ଗବାସୀଙ୍କୁ ନୂଆ ବିକଳ୍ପ ଦେବାକୁ ଯୋଜନା କରିଛନ୍ତି। ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ହୁମାୟୁନ ହାଇଦରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ନେତୃତ୍ବାଧୀନ ଏଆଇଏମଆଇଏମ୍ ସହ ମେଣ୍ଟ କରିବାକୁ ଯୋଜନା କରିଛନ୍ତି। ଯୋଜନା ସମ୍ପର୍କରେ ସେ ଓୱେସୀଙ୍କ ସହିତ ଆଲୋଚନା କରିଥିବା ନେଇ ରବିବାର ହୁମାୟୁନ ଘୋଷଣା କରିଛନ୍ତି। ହୁମାୟନ କହିଛନ୍ତି ଯେ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଉଭୟ ତୃଣମୂଳ କଂଗ୍ରେସ ଓ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଲାଗି ସେ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ନିଜସ୍ବ ଦଳ ଗଠନ କରିବା ସହିତ ଏଆଇଏମ୍ଆଇଏମ୍ ସହିତ ମେଣ୍ଟ କରି ନିର୍ବାଚନ ଲଢିବେ। ହୁମାୟନ ପୂର୍ବରୁ କଂଗ୍ରେସରେ ଥିବାବେଳେ ଏବେ ସେ ଏଆଇଏମଆଇଏମ୍, କଂଗ୍ରେସକୁ ଧରି ପଶ୍ଚିମବଙ୍ଗରେ ଏକ ନୂଆ ବିକଳ୍ପ ଭାବେ ଭୋଟରଙ୍କ ନିକଟରେ ଉଭା ହେବାକୁ ଯାଉଛନ୍ତି।
ନିର୍ବାଚନ ଲଢିବା ପାଇଁ ହୁମାୟନଙ୍କ ପାଖରେ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ଅନୁମାନ କରାଯାଇଛି। କାରଣ ଶନିବାର ବାବ୍ରି ମସ୍‌ଜିଦ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସେ ପ୍ରାୟ ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଆକଳନ କରାଯାଇଛି। ହଜାର ହଜାର ସମର୍ଥକଙ୍କ ପାଇଁ ଖାଦ୍ୟପେୟ ସହିତ ଯିବାଆସିବାର ବ୍ୟବସ୍ଥା କରାଯାଇଥିଲା। ଏହି ଉତ୍ସବରେ ସାଉଦି ଆରବରୁ ପାଣ୍ଠି ମିଳିଥିବା ଜଣାଯାଇଛି। କାରଣ ଉତ୍ସବରେ ସାଉଦି ଆରବର ମୌଲବୀମାନେ ମଧ୍ୟ ଯୋଗ ଦେଇଥିଲେ। ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ଦାବିକୁ ନେଇ ଟିଏମସି ଗତ ୪ ତାରିଖରେ ହୁମାୟନଙ୍କୁ ଦଳରୁ ନିଲମ୍ବନ କରିଥିଲା। ନିଲମ୍ବନ ସତ୍ତ୍ବେ ହୁମାୟନ ତାଙ୍କ ଦାବିରେ ଅଟଳ ରହିବା ପୂର୍ବକ ମସ୍‌ଜିଦ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ହୁମାୟନଙ୍କୁ ମସ୍‌ଜିଦ ନିର୍ମାଣରୁ ଦୂରେଇ ରଖିବା ଲାଗି ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାର ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ। ମାତ୍ର ହାଇକୋର୍ଟ ମମତାଙ୍କ ସରକାରଙ୍କୁ ନିରାଶ କରିଥିଲେ। ହାଇକୋର୍ଟ ମସ୍‌ଜିଦ ନିର୍ମାଣରେ ହସ୍ତକ୍ଷେପ କରିବାକୁ ମନା କରିଥିବାବେଳେ ଏଥିପାଇଁ ସୃଷ୍ଟି ହେବାକୁ ଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL