ଜାତୀୟ

ବିମାନବନ୍ଦରରେ ଫସି ରହିଲେ ୧୦୦୦ରୁ ଅଧିକ ଯାତ୍ରୀ

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଚଳାଚଳରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ଯାଉଥିବା ଅନେକ ବିମାନ ଏହାଦ୍ବାରା ପ୍ରଭାବିତ ହୋଇଛି। ଯାହାଫଳରେ ଗତକାଲି ରାତିରୁ ପ୍ରାୟ ୧୦୦୦ଜଣ ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଏବଂ ବୁଧବାର ରାତି ୨ଟାରେ ଉଡ଼ିବାକୁ ନିର୍ଦ୍ଧାରିତ ହୋଇଥିବା ବିମାନକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରନୱେରେ ଅଟକାଇ ଦିଆଯାଇଥିଲା। କିଛି ସମୟ ପରେ ଉକ୍ତ ବିମାନ ଭିତରେ ବସିଥିବା ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇ ବିମାନବନ୍ଦର ଟର୍ମିନାଲରେ ଅପେକ୍ଷା କରିବାକୁ କୁହାଯାଇଥିଲା।

ଏଭଳି ପରିସ୍ଥିତିରେ ଯେଉଁ ଯାତ୍ରୀମାନଙ୍କୁ ସଂଯୋଗକାରୀ ବିମାନ ଧରିବାର ଥିଲା କିମ୍ବା ଭିସା ସାକ୍ଷାତକାର ପାଇଁ ବିଭିନ୍ନ ସହରକୁ ଯାତ୍ରା କରିବାର ଯୋଜନା ଥିଲା ସେମାନଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଯାତ୍ରାକୁ ନେଇ ବିମାନବନ୍ଦରରେ ଇଣ୍ଡିଗୋ କର୍ମଚାରୀମାନେ ଯାତ୍ରୀଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାଁନ୍ତି, ଯେଉଁ କାରଣରୁ ପରିସ୍ଥିତିକୁ ଆହୁରି ବିଗିଡ଼ି ଯାଇଛି।

ଜଣେ ପ୍ରଭାବିତ ଯାତ୍ରୀ କହିଛନ୍ତି, ” ଯାତ୍ରାକୁ ନେଇ ଆମକୁ କୌଣସି ପ୍ରକାର ସ୍ପଷ୍ଟ ସୂଚନା ଦିଆଯାଉନାହିଁ। ବିମାନ ବିଳମ୍ବର କାରଣ କ’ଣ ତାହା ବି କୁହାଯାଉ ନାହିଁ। ଏଭଳି ପରିସ୍ଥିତିରେ ବିମାନବନ୍ଦରେ ପିଲା ଠାରୁ ବୃଦ୍ଧ ଅନେକ ଯାତ୍ରୀ ଗତକାଲି ଠାରୁ ଫସି ରହିଛନ୍ତି। ସେମାନଙ୍କ ପାଇଁ କୌଣସି ପ୍ରକାରର ଖାଦ୍ୟ କିମ୍ବା ପାନୀୟର ବ୍ୟବସ୍ଥା ଏ ପର୍ଯ୍ୟନ୍ତ କରାଯାଇନାହିଁ।

ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି, “ଆମେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ। ଯଥାଶୀଘ୍ର ସେଗୁଡ଼ିକୁ ସମାଧାନ କରିବା ପାଇଁ କାମ କରୁଛୁ। ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖୀତ।  ସମସ୍ତଯାତ୍ରୀଙ୍କୁ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ଯାତ୍ରୀଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ। ଖୁବଶୀଘ୍ର ସ୍ଥିତିରେ ସୁଧାର ଆସିଯିବ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL