ଅନ୍ତର୍ଜାତୀୟ

ବଦଳିପାରେ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାର ରୂପରେଖ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଆନ୍ତର୍ଜାତିକ ସୀମାର ରୂପରେଖ ଭବିଷ୍ୟତରେ ବଦଳିବା ସହ ସିନ୍ଧ ପ୍ରଦେଶ ଭାରତକୁ ଫେରିପାରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରବିବାର ନୂଆଦିଲ୍ଲୀରେ ଆୟୋଜିତ ସିନ୍ଧ ସଂପ୍ରଦାୟର ସମ୍ମେଳନରେ ଯୋଗଦେଇ ରାଜନାଥ କହିଛନ୍ତି ଯେ, ଦେଶ ବିଭାଜନ ସମୟରେ ସିନ୍ଧ ପ୍ରଦେଶ ଭାରତରୁ ବିଚ୍ଛିନ୍ନ ହୋଇ ପାକିସ୍ତାନର ଅଂଶ ପାଲଟିଥିଲା। ଆଜି ସିନ୍ଧ ପ୍ରଦେଶ ପାକିସ୍ତାନ ଦଖଲରେ ରହିଥିଲେ ସୁଦ୍ଧା ସଭ୍ୟତା ଦୃଷ୍ଟିକୋଣରୁ ଏହା ସବୁବେଳେ ଭାରତର ଅଂଶ ବିଶେଷ ଭାବେ ପରିଗଣିତ ହୋଇଥାଏ। ୧୯୪୭ ଅଗଷ୍ଟରେ ଭାରତ ଓ ପାକିସ୍ତାନ ଏକାସାଙ୍ଗରେ ସ୍ବାଧୀନତା ପାଇଥିଲେ। ସେତେବେଳେ ପାକିସ୍ତାନରେ ବାସ କରୁଥିବା ଅଧିକାଂଶ ସିନ୍ଧି ପରିବାର ଭାରତ ଚାଲିଆସିଥିଲେ। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡୱାଣୀଙ୍କ ପରିବାର ମଧ୍ୟ ଏହି ଦେଶାନ୍ତରରେ ସାମିଲ ଥିବା ରାଜନାଥ କହିଛନ୍ତି।

ତେବେ ଯେଉଁ ସିନ୍ଧି ପରିବାର ପାକିସ୍ତାନରେ ବାସ କରିବାକୁ ବାଧ୍ୟ ହୋଇଥିଲେ, ସେମାନେ ସେଠାକାର ପରିସ୍ଥିତି ସହ ଆଦୌ ଖାପ୍‌ ଖୁଆଇପାରୁନଥିବା ରାଜନାଥ କହିଛନ୍ତି। ବିଭାଜନର ଶିକାର ହୋଇ ପାକିସ୍ତାନରେ ବାସ କରୁଥିବା ସିନ୍ଧି ପରିବାର ଏବେମଧ୍ୟ ସିନ୍ଧ ପ୍ରଦେଶକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରୁଛନ୍ତି ବୋଲି ଆଡୱାଣୀ ତାଙ୍କ ରଚିତ ଏକ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ହିନ୍ଦୁ ସଂପ୍ରଦାୟ ସବୁବେଳେ ସିନ୍ଧୁ ନଦୀକୁ ପବିତ୍ର ବୋଲି ମାନିଥାନ୍ତି। ସିନ୍ଧୁ ନଦୀକୂଳରେ ଅବସ୍ଥିତ ସିନ୍ଧ ପ୍ରଦେଶର ଗୁରୁତ୍ବ ଆନ୍ତର୍ଜାତିକ ସୀମା ଅତିକ୍ରମ କରୁଛି ବୋଲି ରାଜନାଥ କହିଛନ୍ତି। ଏପରିକି ସିନ୍ଧ ପ୍ରଦେଶରେ ବାସ କରୁଥିବା ଅଧିକାଂଶ ମୁସଲମାନ ପରିବାର ବର୍ତ୍ତମାନ ମଧ୍ୟ ସିନ୍ଧୁ ନଦୀଜଳକୁ ମକ୍କାସ୍ଥିତ ଅବ୍‌-ଇ ଜମ୍‌ଜମ୍‌ ଜଳ ଭଳି ପବିତ୍ର ବୋଲି ସ୍ବୀକାର କରୁଛନ୍ତି। ଏହା ଆଡୱାଣୀଙ୍କ ମତ ବୋଲି ରାଜନାଥ ସ୍ପଷ୍ଟ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ସିନ୍ଧୁ ନଦୀର ଉଭୟ ପାର୍ଶ୍ବ (ଭାରତ ଓ ପାକିସ୍ତାନ)ରେ ବାସ କରୁଥିବା ହିନ୍ଦୁ ସଂପ୍ରଦାୟ ସବୁବେଳେ ଭାରତୀୟ ବିବେଚିତ ହେବେ ବୋଲି ରାଜନାଥ କହିଛନ୍ତି। ବିଭାଜନ ପରେ ସିନ୍ଧ ପ୍ରଦେଶରୁ ସ୍ଥାୟୀଭାବେ ଚାଲିଆସିଥିବା ହିନ୍ଦୁଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଏଭଳି ସିନ୍ଧି ପରିବାର ବର୍ତ୍ତମାନ ଝୁମ୍ପୁଡିରେ ବାସ କରୁଛନ୍ତି। ଅନ୍ୟ ଭାରତୀୟଙ୍କ ଭଳି ସେମାନେ ମଧ୍ୟ ଉପଯୁକ୍ତ ସୁବିଧା ସୁଯୋଗ ପାଇବାକୁ ହକ୍‌ଦାର ବୋଲି ରାଜନାଥ ମତବ୍ୟକ୍ତ କରିଛନ୍ତି। ଏଥିପାଇଁ ଯଦି ନୂତନ ଆଇନର ଆବଶ୍ୟକତା ପଡେ, ବିଜେପି ସରକାର ଆଦୌ କୁଣ୍ଠାବୋଧ କରିବେ ନାହିଁ ବୋଲି ରାଜନାଥ ପ୍ରତିଶ୍ରୁତି ଦେଇଛନ୍ତି।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL