ଜାତୀୟ

ବିହାର: ନିର୍ବାଚନ ପ୍ରଚାରରେ ଯାଇ ଚାଷୀଙ୍କ ସହ ମାଛ ଧରିଲେ ରାହୁଲ ଗାନ୍ଧି

ବେଗୁସରାୟ : ରାହୁଲ ଗାନ୍ଧି ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ରବିବାର ବେଗୁସରାୟରେ ରାଲିକୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମ ପୂର୍ବରୁ ରାହୁଲଙ୍କୁ ଜଣେ ମାଛ ଚାଷୀଙ୍କୁ ପୋଖରୀରେ ପାରମ୍ପରିକ ମାଛ ଧରାରେ ସହାୟତା କରୁଥିବା ଦେଖା ଯାଇଛି। ଏହି କାର୍ଯ୍ୟରେ ତାଙ୍କ ସହ କହ୍ନେୟା କୁମାର ଓ ମୁକେଶ ସାହାଣୀଙ୍କୁ ମଧ୍ୟ ଦେଖା ଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଏହା ଏବେ ଭାଇରାଲ ହୋଇଯାଇଛି।

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏବେ ମହାମେଣ୍ଟ ପାଇଁ ବିହାରରେ ବିଧାନସଭା ନିର୍ବାଚନ ପ୍ରଚାର କରୁଛନ୍ତି। ଏହି ଅବସରରେ ରବିବାର ସେ ବେଗୁସରାୟରେ ଏକ ରାଲିକୁ ସମ୍ବୋଧିତ କରିବାକୁ ଯାଇଥିବା ବେଳେ ଏପରି କାମ କରିଛନ୍ତି ଯାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନୀ ସଭାକୁ ଯିବା ରାସ୍ତାରେ ରାହୁଲ ମତ୍ସ୍ୟ ଚାଷ କରୁଥିବା ଚାଷୀଙ୍କ ସମୂହଙ୍କୁ ଭେଟିଥିଲେ ଓ ପୋଖରୀକୁ ଡେଇଁ  ମାଛ ଧରୁଥିବା ଲୋକଙ୍କ ସହ ମିଶି ପାରମ୍ପରିକ ଭାବେ ମାଛ ଧରିଥିଲେ।

ରାହୁଲଙ୍କ ଏହି କାର୍ଯ୍ୟରେ ମହାମେଣ୍ଟର  ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମୁକେଶ ସାହାଣୀ ଓ କଂଗ୍ରେସ ଯୁବ ନେତା କହ୍ନେୟା କୁମାର ମଧ୍ୟ ସାମିଲ ହୋଇଥିଲେ, ଯାହା ମାଛ ଧରୁଥିବା ଲୋକଙ୍କୁ ବେଶ୍ ଉତ୍ସାହିତ କରିଥିଲା। କିଛି ଦିନ ପୂର୍ବରୁ ବିହାରରେ ରାଜନୈତିକ ଦଳ ସେମାନଙ୍କ ଘୋଷଣାପତ୍ର ଜାରି କରିଥିଲେ। ଏଥିରେ ମହାମେଣ୍ଟର ଘୋଷଣାପତ୍ର ମଧ୍ୟ ଜାରି ହୋଇଛି। ମହାମେଣ୍ଟ ମତ୍ସ୍ୟଜୀବୀଙ୍କ ନିମନ୍ତେ ଅନେକ ପ୍ରତିଶ୍ରୁତି ରଖିଛି। ଏହା ଛଡା ମହାମେଣ୍ଟର ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମୁକେଶ ସାହାଣୀ ମତ୍ସ୍ୟ ଜୀବୀ ସମୂଦାୟଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ଏଥିରେ ରାହୁଲଙ୍କ ମାଛ ଧରା ଏବେ ରାଜ୍ୟରେ ମହ୍ଲା ଓ ନିଷାଦ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି।

ମହାମେଣ୍ଟ ମତ୍ସ୍ୟ ଜୀବୀଙ୍କୁ ଲିନ ପିରିୟଡ (ମାଛ ଧରା ନିଷିଦ୍ଧ ସମୟ)ରେ ପ୍ରତି ପରିବାର ୫ ହଜାର ଟଙ୍କା ସହାୟତାର ପ୍ରତିଶ୍ରୁତି ଦେଇଛି। ଏହା ଛଡା ରାଜ୍ୟରେ ମହାମେଣ୍ଟ ସରକାର ହେଲେ ମତ୍ସ୍ୟ ପାଳନ ବୀମା ଯୋଜନା ଓ ବଜାର ଉପଲବ୍ଧତା ସୁନିଶ୍ଚିତ କରିବାକୁ ମଧ୍ୟ ପ୍ରତିଶ୍ରୁତି ରହିଛି। ମାଛଧରା ପରେ ରାହୁଲ ଜନସମାବେଶକୁ ସମ୍ବୋଧିତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ୧୯୭୧ ମସିହାରେ ଆମେରିକା ଇନ୍ଦିରା ଗାନ୍ଧିଙ୍କୁ ଧମକେଇଥିଲା। ହେଲେ ସେ ଡରି ଯାଇ ନଥିଲେ ଯାହା କରିବା କଥା କରି ଦେଖାଇଥିଲେ।

ହେଲେ ଆମେରିକା ରାଷ୍ଟ୍ରପତି ଯେବେ ନରେନ୍ଦ୍ର ମୋଦିଙ୍କୁ କହିଲେ ଅପରେସନ ସିନ୍ଦୂର ବନ୍ଦ କର ସେ ଦୁଇ ଦିନରେ ଅପରେସନ ରୋକି ଦେଇଛନ୍ତି। ଏଥିରୁ ଟ୍ରମ୍ପଙ୍କୁ ମୋଦି ଡରୁଥିବା ଜଣାପଡିଛି। କେବଳ ଟ୍ରମ୍ପ ନୁହେଁ ସେ ଆଦାନୀ ଓ ଅମ୍ବାନୀଙ୍କୁ ମଧ୍ୟ ଡରନ୍ତି ବୋଲି ରାହୁଲ ସମାବେଶରେ କହିଛନ୍ତି।   

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL