ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ବିକାଶ ର କଚ୍ଛପ ଗତି… ୬ବର୍ଷ ହେଲା ଅଧାପନ୍ତରିଆ ରେ ପଡିଛି ୪ଥାକିଆ ରାସ୍ତା ଡ୍ରେନ୍ କାମ…

ବିକାଶ ର କଚ୍ଛପ ଗତି…

୬ବର୍ଷ ହେଲା ଅଧାପନ୍ତରିଆ ରେ ପଡିଛି ୪ଥାକିଆ ରାସ୍ତା ଡ୍ରେନ୍ କାମ : ଲୋକେ ହନ୍ତସନ୍ତ

ରେଙ୍ଗାଲି, ଡ଼ିସେମ୍ବର 14
(ଡ଼ଃ ନିବେଦିତା ନାଥ)

ରାଜ୍ୟ ସାରା ବିକାଶ ରେ ଡେଙ୍ଗୁରା ବାଜୁଛି । ବିଭିନ୍ନ ଉନ୍ନୟନ କାମ ପାଇଁ ଅଜସ୍ର ଟଙ୍କା ମଞ୍ଜୁର ହେଉଛି। ତେବେ ଇଚ୍ଛାଶକ୍ତିର ଓ ଆନ୍ତରିକତା ର ଅଭାବ ଯୋଗୁଁ ବ ଉନ୍ନୟନ ପ୍ରକଳ୍ପ ବର୍ଷାଧିକ କାଳ ହେଲା ଅଧାପନ୍ତରିଆ ରେ ପଡି ଜନସାଧାରଣ ଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ସହର ରେ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ସରକାରଙ୍କ ଯୋଜନା ମାଳମାଳ କିନ୍ତୁ କାମ ଦୁର୍ବଳ ବୋଲି ଜନସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି।
ସୂଚିତ ଯେ ରେଙ୍ଗାଲି ରୁ ଗଣେଶନଗର କୁ ଚାରିଥାକିଆ ରାସ୍ତା ନିର୍ମାଣ ପାଇଁ ୨୦୧୯ ମସିହା ଜାନୁଆରୀ ୩ତାରିଖ ଦିନ ତତ୍କାଳୀନ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ତତ୍କାଳୀନ ସାଂସଦ ନଗେନ୍ଦ୍ର ପ୍ରଧାନ,ବିଧାୟକ ରମେଶ ପଟୁଆ ଉପସ୍ଥିତ ଥିଲେ। ତେବେ ବିଡମ୍ବନାର ବିଷୟଯେ ୨୦୧୯ ରୁ ଆରମ୍ଭ ହୋଇ ଥିବା ରାସ୍ତା କାମ ୬ବର୍ଷ ବିତିବାକୁ ବସିଲାଣି ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ରାସ୍ତା ସଂପ୍ରସାରଣ କାମ ପ୍ରାୟ ସରିଯାଇଥିବା ବେଳେ ଉଭୟ ପାର୍ଶ୍ବ ର ଡ୍ରେନ୍ ନିର୍ମାଣ କାମ ଅଧାପନ୍ତରିଆ ରେ ପଡିଛି। ପ୍ରାୟ ୩୦% ରୁ ବେଶୀ କାମ ବାକି ଅଛି। ଗଣେଶନଗର ବଜରଙ୍ଗବଳୀ ମନ୍ଦିର ସାମ୍ନା ରେ ଦୀର୍ଘ ମାସ ହେଲା ବଡ ଗର୍ତ୍ତ ଥିଲେ ମଧ୍ଯ ମରାମତି ହେଉନାହିଁ। ଫଳରେ ଏହା ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି। ଏଠାରେ ଥିବା ଡିଭାଇଡର୍ ରେ ଗ୍ୟାପ୍ ନଥିବାରୁ ଗ୍ରାମବାସୀ, ସ୍କୁଲ କଲେଜ ଛାତ୍ର ଛାତ୍ରୀ ରାସ୍ତା ଅତିକ୍ରମ କରି ଗନ୍ତବ୍ୟ ସ୍ଥଳ କୁ ଯିବା ପାଇଁ ଅପର ପାର୍ଶ୍ବ କୁ ଯିବା ଆସିବା ରେ ବିଷମ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ବିପଦ ଜନକ ଅବସ୍ଥାରେ ରାସ୍ତା ଅତିକ୍ରମ କରିବାକୁ ପଡୁଛି। ଅପରପକ୍ଷରେ ଅଧାପନ୍ତରିଆ ମୁକୁଳା ଡ୍ରେନ୍ ଯୋଗୁଁ ଜନସାଧାରଣ ଘୋର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଯେତେ ଦୂର ଯାଏ ଡ୍ରେନ୍ କାମ ହୋଇଛି ଡ୍ରେନ୍ ଉପରେ ଢାଙ୍କୁଣି ଦିଆଯାଇ ନାହିଁ। ମୁକୁଳା ହୋଇ ପଡିଥିବା ଡ୍ରେନ୍ ରେ ବୁଲା ଗାଈଗୋରୁ ତଥା ଜନସାଧାରଣ ପଡି କ୍ଷତାହତ ହେଉଛନ୍ତି। ଅନେକ ସ୍ଥାନ ରେ ମୁକୁଳା ଡ୍ରେନ୍ ଡଷ୍ଟବିନ୍ ପାଳଟି ଥିବାର ଦେଖିବାକୁ ମିଳୁଛି। ଅସମ୍ପୂର୍ଣ୍ଣ ଡ୍ରେନ୍ ଯୋଗୁଁ ବର୍ଷା ଜଳ ନିଷ୍କାସନ ରେ ଘୋର ସମସ୍ୟା ଦେଖାଦେଉଛି। ଜନବସତି ତଳି ଅଞ୍ଚଳ ରେ ଥିବା ଘର ଭିତରକୁ ବର୍ଷା ପାଣି ପଶିଯାଉଛି। ଏହା ବ୍ୟତୀତ ଡ୍ରେନ୍ ମୁକୁଳା ପଡିଥିବାରୁ ଦୋକାନ ବଜାର କୁ ଯିବା ଆସିବା ରେ ବିଷମ ସମସ୍ୟା ଦେଖା ଦେଉଛି। ଡ୍ରେନ୍ ସମସ୍ୟା ବ୍ୟତୀତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ମଧ୍ଯ ବିପର୍ଯ୍ୟସ୍ତ ହୋଇପଡିଛି। ଷ୍ଟ୍ରିଟ୍ ଲାଇଟ୍ କାଁଭାଁ କେଉଁଠି ମିଞ୍ଜିମିଞ୍ଜି ହୋଇ ଜଳୁଥିବା ବେଳେ ଅଧିକାଂଶ ଅଚଳ। ଆହୁରି ଅଧିକ ସଂଖ୍ୟକ ଷ୍ଟ୍ରିଟ୍ ଲାଇଟ୍ ଆବଶ୍ୟକତା ଥିଲେ ମଧ୍ଯ ଆବଶ୍ୟକତା ଅନୁସାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇନାହିଁ। ଫଳ ରେ ଷ୍ଟ୍ରିଟ୍ ଲାଇଟ୍ ଥାଇ ନଥିଲା ଭଲି ଅବସ୍ଥା ଦେଖାଦେଉଛି। ଗତ ୬ବର୍ଷ ହେଲା କଚ୍ଛପ ଗତି ରୁ ବି ଆହୁରି ମନ୍ଥର ଗତି ରେ ଚାଲିଥିବା ୪ଥାକିଆ ରାସ୍ତା କାମ ସରିବାକୁ ଆଉ କେତେ ବର୍ଷ ଲାଗିବ। ଏ ଦଶନ୍ଧି ରେ କାମ ସରିବ ତ ବୋଲି ଜନସାଧାରଣ ରେ ପ୍ରଶ୍ନ ହେଉଛି।
ଏସଂକ୍ରାନ୍ତ ରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସୁମନ୍ତ କୁମାର ପରେଖ ଙ୍କ ମତ ଓ ମନ୍ତବ୍ଯ- ଚାରିଥାକିଆ ରାସ୍ତା ରେ ଡ୍ରେନ୍ ନିର୍ମାଣ କାମ ପାଇଁ ଟଙ୍କା ମଞ୍ଜୁର ପାଇଁ ଏଷ୍ଟିମେଟ୍ ପଠାଯାଇଛି। ଟଙ୍କା ମଞ୍ଜୁର ହେଲେ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବ। ରାସ୍ତା କାମ ଆରମ୍ଭ ରେ ଡ୍ରେନ୍ ର ପ୍ଳାନ୍ ନଥିଲା।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL