ଜ଼ିଲ୍ଲା

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଡିସେମ୍ବର ୫, ୨୦୨୪) ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ସମାବର୍ତ୍ତନ ଦିବସ ଛାତ୍ରଛାତ୍ରୀଙ୍କ ଆଶାଜନକ ଭବିଷ୍ୟତର ମାର୍ଗ ଖୋଲିଥାଏ। ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ, ସେମାନେ ବର୍ତ୍ତମାନ ଏକ ଭିନ୍ନ ପରିବେଶରେ ପ୍ରବେଶ କରୁଛନ୍ତି ଯେଉଁଥିରେ ସେମାନେ ବାସ୍ତବ ବୈଶ୍ବିକ ପରିସ୍ଥିତିରେ ସେମାନଙ୍କ ଜ୍ଞାନ ଓ ଦକ୍ଷତାର କଠୋର ପରୀକ୍ଷାର ସମ୍ମୁଖୀନ ହେବେ । ସେମାନେ ହାସଲ କରିଥିବା ଜ୍ଞାନ ଓ କୌଶଳର ସର୍ବୋତ୍ତମ ପ୍ରୟୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବେ ବୋଲି ଆଶା କରାଯାଏ। ଅଭିନବ ଚିନ୍ତାଧାରା ଓ ଉତ୍ସର୍ଗୀକୃତ କାର୍ଯ୍ୟ ମାଧ୍ୟମରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଜାତୀୟ ଲକ୍ଷ୍ୟରେ ଯୋଗଦାନ କରିବାକୁ ସେ ଅନୁରୋଧ କରିଥିଲେ । ରାଷ୍ଟ୍ରପତି କହିଥିଲେ ଯେ, ଏପରି ଏକ ସମୟ ଥିଲା ଯେତେବେଳେ ଆମେ ଖାଦ୍ୟଶସ୍ୟ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲୁ । ବର୍ତ୍ତମାନ ଆମେ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ କୃଷି ଜାତ ଦ୍ରବ୍ୟ ରପ୍ତାନି କରୁଛୁ । ଆମ କୃଷି ବୈଜ୍ଞାନିକମାନଙ୍କ ମାର୍ଗଦର୍ଶନ ଏବଂ କୃଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ରାଷ୍ଟ୍ରପତି କହିଥିଲେ ଯେ କୃଷି ଓ କୃଷକଙ୍କ ବିକାଶ ବିନା ଦେଶର ସାମଗ୍ରିକ ବିକାଶ ସମ୍ଭବ ନୁହେଁ। କୃଷି, ମତ୍ସ୍ୟ ଉତ୍ପାଦନ ଏବଂ ପଶୁସମ୍ପଦର ବିକାଶ ଦ୍ୱାରା ଆମର ଅର୍ଥବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ସେ କହିଥିଲେ ଯେ ଆଜି କୃଷି କ୍ଷେତ୍ର ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ, ମୁଣ୍ଡପିଛା ଚାଷ ଜମି ଆକାର ହ୍ରାସ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ ଭଳି ନୂତନ ଆହ୍ୱାନର ସମ୍ମୁଖୀନ ହେଉଛି । ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମ ବୈଜ୍ଞାନିକମାନଙ୍କୁ ଠିକ୍ ସମୟରେ ପ୍ରଯୁକ୍ତିବିଦ୍ୟା ବିକଶିତ ଏବଂ ପ୍ରସାର କରିବାକୁ ପଡିବ । ଆମକୁ ପରିବେଶ ସୁରକ୍ଷା, ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା, ଜଳ ଓ ମୃତ୍ତିକା ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ଉନ୍ନତ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପଡିବ ।

ରାଷ୍ଟ୍ରପତି କହିଥିଲେ ଯେ, ତାପମାତ୍ରା ଏବଂ ଗ୍ରୀନହାଉସ୍ ଗ୍ୟାସ ବୃଦ୍ଧି ଭଳି ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି । ଏଭଳି ସମସ୍ତ ସମସ୍ୟାର ମୁକାବିଲା କରିବା ପାଇଁ କୃଷି ବୈଜ୍ଞାନିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ରାସାୟନିକ ସାର ଏବଂ କୀଟନାଶକର ଅତ୍ୟଧିକ ବ୍ୟବହାର ମଧ୍ୟ ଆମ କୃଷି କ୍ଷେତ୍ର ପାଇଁ ଏକ ନୂତନ ଆହ୍ୱାନ ଭାବେ ଉଭା ହୋଇଛି । ମାଟି, ପାଣି ଓ ପରିବେଶ ଉପରେ ଏହାର ଖରାପ ପ୍ରଭାବ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଯୁବ ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ପାଇଁ ଉପାୟ ବାହାର କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL