ଓଡ଼ିଶା ନବରଙ୍ଗପୁର

ଡିସେମ୍ବର ୨ ତାରିଖରୁ ଖୋଲିବ ଧାନମଣ୍ଡି: ଟୋକେନ୍ ନେଇ ଦ୍ବନ୍ଦ୍ବରେ ଚାଷୀ

ଝରିଗାଁ ବ୍ଲକରେ ପ୍ରାୟ ଚାଷୀ ଧାନ ଜମିରୁ ଧାନ କାଟି ଖଳାରେ ରଖିଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଚାଷୀ ଧାନକୁ ମଳିବା ସହ ବସ୍ତାରେ ସୁରକ୍ଷିତ ଭାବେ ରଖିଛନ୍ତି। ଆସନ୍ତା ମାସ ଦୁଇ ତାରିଖ ଠାରୁ ଧାନ ମଣ୍ଡି ଖଳିବା ପାଇଁ ନିଷ୍ପତ୍ତି ହୋଇଛି।

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପ୍ରାୟ ଚାଷୀ ଜମିରୁ ଧାନ କାଟି ଖଳାରେ ରଖିଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଚାଷୀ ଧାନକୁ ମଳିବା ସହ ବସ୍ତାରେ ସୁରକ୍ଷିତ ଭାବେ ରଖିଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ଆସନ୍ତା ମାସ ଦୁଇ ତାରିଖ ସୋମବାର ଠାରୁ ଧାନ ମଣ୍ଡି ଖଳିବା ପାଇଁ ନିଷ୍ପତ୍ତି ହୋଇଛି। ଧାନମଣ୍ଡି ଖୋଲିବା ପାଇଁ ଆଉ ମାତ୍ର ୫ ଦିନ ଥିବା ବେଳେ ଚାଷୀମାନଙ୍କ ନିକଟକୁ ଟୋକେନ୍ ଆସିନଥିବା ଅଭିଯୋଗ ହୋଇଛି।

ନିୟମ ପ୍ରକାରେ ଧାନମଣ୍ଡି ଖୋଲିବାର ସାତଦିନ ପୂର୍ବରୁ ଚାଷୀମାନଙ୍କ ଫୋନରେ ଟୋକେନ୍ ମେସେଜ ଆସିବାକୁ ଥିବା ବେଳେ ବର୍ତ୍ତମାନ ସୁଧା ଝରିଗାଁ ବ୍ଳକର କୌଣସି ଚାଷୀଙ୍କ ନିକଟକୁ ଟୋକେନ୍ ମେସେଜ ଆସିନଥିବା ଅଭିଯୋଗ ହୋଇଛି। ଟୋକେନ୍ ମେସେଜ ଆସିନଥିବା ଯୋଗୁଁ ଝରିଗାଁ ବ୍ଲକର ଚାଷୀମାନେ ଦ୍ଵନ୍ଦରେ ପଡିଛନ୍ତି। ସାତଦିନ ପୂର୍ବରୁ ଚାଷୀମାନଙ୍କ ନିକଟରେ ଟୋକେନ୍ ମେସେଜ ଆସିଲେ ଚାଷୀମାନେ ଧାନମଣ୍ଡିରେ ଧାନ ବିକ୍ରି କରିବା ପାଇଁ ସମୟ ମିଳିବା ସହ ପ୍ରସ୍ତୁତ ହେବେ ବୋଲି ସ୍ଥାନୀୟ ଚାଷୀ କହିଛନ୍ତି। ସେହିପରି ଧାନମଣ୍ଡିରେ ଅଖା ବସ୍ତାରେ ଧାନ ଆଣିବା ପାଇଁ କୁହାଯାଉଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି। ଅଖା ବସ୍ତା ପିଛା ଖୋଲା ବଜାରରେ ୩୫ ଟଙ୍କା ଥିବା ବେଳେ ଏହି ଅସମୟରେ ଚାଷୀଙ୍କ କ୍ଷେତ୍ରରେ ଅଖା ବସ୍ତା କିଣିବା ସମ୍ଭବ ହେଉନାହିଁ।ତେଣୁ ଚାଷୀ ମାନେ ଜାରି ବସ୍ତା ବଜାରରେ ୯ ଟଙ୍କାରେ କିଣି ସେଥିରେ ଧାନ ଭରି ଧାନ ମଣ୍ଡିକୁ ନେଇ ଯାଉଛନ୍ତି ଏବଂ ୨୬ ଟଙ୍କା ଲାଭରେ ରହୁଛନ୍ତି।

ଝରିଗାଁ ବ୍ଲକରେ ସୋମବାର ଦିନ ଝରିଗାଁ ଧାନମଣ୍ଡିରେ, ମଙ୍ଗଳବାର ଦିନ ଏକାମ୍ବା ଖ, ବୁଧବାର ଦିନ ଚୋଚା, ଗୁରିବାର ଦିନ ଧୋଡ୍ରା, ଶୁକ୍ରବାର ଦିନ ଚାଟିଗୁଡା ଓ ଶନିବାର ଦିନ ବେଲଗାଁ ଧାନ ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ।

-ଝରିଗାଁ ଲ୍ୟାମ୍ପସ୍‌

ଚଳିତ ବର୍ଷ ଝରିଗାଁ ବ୍ଲକରେ ତିନିଟି ସ୍ୱୟଂ ସହାୟକ ଗ୍ରୁଫ ଧୋଡ୍ରା, ଚାଟିଗୁଡ଼ା ଓ ଚଚା ଧାନମଣ୍ଡିରେ ଏବଂ ଝରିଗାଁ ଲ୍ୟାମ୍ପସ ବାକି ୨୦ଟି ପଂଚାୟତର ଧାନ ମଣ୍ଡିରେ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଯୋଗାଣ ବିଭାଗ ସହ ଚୁକ୍ତି କରିଥିବା ଜଣାପଡ଼ିଛି।ଝରିଗାଁ ଲ୍ୟାମ୍ପସରେ ୧୫୫୦ ଚାଷୀ ପଞ୍ଜିକୃତ କରିଥିବା ବେଳେ ଚାଟିଗୁଡା ଠାରେ ୩୧୧ ଜଣ ଚାଷୀ, ଚଚା ଠାରେ ୨୦୦ ଜଣ ଚାଷୀ ଏବଂ ଧୋଡ୍ରା ଠାରେ ୪୪୮ ଜଣ ଚାଷୀ ପଞ୍ଜିକୃତ କରିଥିବା ସୂଚନା ମିଳିଛି।

ଚଳିତ ବର୍ଷ ସରକାର ପ୍ରଥମ ଥର ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବା ପାଇଁ ନିଷ୍ପତ୍ତି ନେବା ସହ ଚାଷୀଙ୍କ ବ୍ୟାଙ୍କ ଖାତାକୁ ବିକ୍ରି ଧାନ ପ୍ରାପ୍ୟ ୪୮ ଘଣ୍ଟା ମଧ୍ୟରେ ଜମା ହେବା ବ୍ୟବସ୍ଥା କରିଥିବାରୁ ଚାଷୀ ମାନଙ୍କ ମନରେ ଉତ୍କଣ୍ଠା ଦେଖା ଦେଇଛି।ଧାନ ମଣ୍ଡିରେ କଟନୀ ଛଟଣୀକୁ ନେଇ ମଧ୍ୟ ଚାଷୀ ଦ୍ଵନ୍ଦରେ ଅଛନ୍ତି।

ସରକାର ଚଳିତ ଥର ଧାନର ମାନ ନିର୍ଦ୍ଧାରଣ ସକାଶେ ଅତି ଉନ୍ନତ ମାନର ଯନ୍ତ୍ରପାତି ବିନିଯୋଗ କରିଥିବା ବେଳେ ଏହା ମଣ୍ଡିରେ ସଠିକ କାର୍ଯ୍ୟକାରୀ ହେଉଛି ନା ନାହିଁ ତାହା ମଧ୍ୟ ଦେଖିବାକୁ ବାକି ରହିଲା।ରାଜ୍ୟ ସ୍ତରରେ ମିଲର ମାନେ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ ଜାରି ରହି ଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଜିଲ୍ଲାର କୌଣସି ମିଲର ଧାନ କିଣିବା ପାଇଁ ପ୍ରଶାସନ ସହ ଚୁକ୍ତି କରି ନଥିବା ଜଣାପଡିଛି। ଏହି ସବୁ ସମସ୍ୟା ମଧ୍ୟରେ ପ୍ରଶାସନ କିଭଳି ଚାଷୀଙ୍କ ଠାରୁ ଧାନ କିଣିବା ସହ ଚାଷୀଙ୍କ ଜମାଖାତାରେ ଟଙ୍କା ସୁରୁଖୁରୁରେ ପ୍ରଦାନ କରିବେ ସେନେଇ ଆଗାମୀ ଦିନରେ ଜଣାପଡିବ।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL