ଓଡ଼ିଶା ଗଞ୍ଜାମ ବ୍ରହ୍ମପୁର

କୋଟିପତି ଡିଜିଏମ୍ ଗିରଫ

ବ୍ରହ୍ମପୁର: ଗିରଫ ହେଲେ ଓପିଏଚଡବ୍ଲ୍ୟୁସିର ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ୍ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର ନିଗମ(ଓପିଏଚଡବ୍ଲ୍ୟୁସି)ର ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟର ଡିଜିଏମ ଇଂ ସୁବାଷଚନ୍ଦ୍ର ପଣ୍ଡାଙ୍କ ଘରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା।  ତାଙ୍କ ଘରୁ ୧ କିଲୋ ସୁନା ଅଳଙ୍କାର ସହ ନଗଦ ୧୩ ଲକ୍ଷ ଟଙ୍କା ଠାବ କରାଯାଇଛି। ସେହିପରି ଇଂ ପଣ୍ଡାଙ୍କ ନାଁରେ ବ୍ରହ୍ମପୁର ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏକାଧିକ କୋଠା ଓ ୪ ଟି ଦାମୀ ପ୍ଲଟ୍‌ ଠାବ କରାଯାଇଛି।୨୦୨୨ରୁ ଓପିଏଚଡବ୍ଲ୍ୟୁସି ବ୍ରହ୍ମପୁର ଡିଭିଜନରେ ଡିଜିଏମ(ସିଭିଲ) ଭାବେ କାର୍ଯ୍ୟ କରୁଥିବା ଇଂ ପଣ୍ଡାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭୁବନେଶ୍ବର ଭିଜିଲାନ୍ସ ଅଦାଲତ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ସେହିକ୍ରମରେ ସୋମବାର ସକାଳୁ ଭିଜିଲାନ୍ସର ୫ ଡିଏସପି ଓ ୭ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଏକାଧିକ ଟିମ ବ୍ରହ୍ମପୁର ଓ ଭୁବନେଶ୍ବରର ୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ। ବ୍ରହ୍ମପୁରର ମେଡିକାଲ ବ୍ୟାଙ୍କ କଲୋନୀ ପ୍ରଥମ ଲାଇନରେ ଥିବା ଓପିଏଚଡବ୍ଲ୍ୟୁସି କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ଟିମ ଓ ବ୍ରହ୍ମପୁର ଖାରବେଳନଗର ଠାରେ ତାଙ୍କ ଭଡାଘରେ ଭିଜିଲାନ୍ସର ଆଉ ଏକ ଟିମ୍‌ ଚଢାଉ କରିଥିଲା।  ଭିଜିଲାନ୍ସର ଅନ୍ୟାନ୍ୟ ଟିମ୍ ଭୁବନେଶ୍ବର ଆଇଗିଣିଆ ଶଙ୍କରପୁର ମହାଦେବ ବିହାର ଠାରେ ଥିବା ଇଂ ପଣ୍ଡାଙ୍କ ବାସଭବନ, ମଞ୍ଚେଶ୍ବର ରାମଗଡ ସାହି ବରିମୁଣ୍ଡା ସ୍ଥିତ ପୈତୃକ ବାସଭବନ ଆଦିରେ ଚଢ଼ାଉ କରିଥିଲେ। ଚଢାଉବେଳେ ଇଂ ପଣ୍ଡାଙ୍କ ଘରୁ ୧ କିଲୋ ସୁନା ଅଳଙ୍କାର ନଗଦ ୧୩ ଲକ୍ଷ ଟଙ୍କା ଜବତ ହୋଇଥିଲା। ତେବେ ଭିଜିଲାନ୍ସ ଟିମ୍‌କୁ ଦେଖି ଇଂ ପଣ୍ଡା ନଗଦ ୧୦ ଲକ୍ଷ ଟଙ୍କା ପଡୋଶୀ ଘରକୁ ଫିଙ୍ଗି ଦେଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ପଡୋଶୀ ଘରକୁ ଯାଇ ଉକ୍ତ ଟଙ୍କା ଜବତ କରିବା ସହ ଇଂ ପଣ୍ଡାଙ୍କ ଘରୁ ଆଉ ୩ ଲକ୍ଷ ଟଙ୍କାକୁ ମିଶାଇ ମୋଟ ୧୩ ଲକ୍ଷ ଜବତ କରିଥିଲେ। ଇଂ ପଣ୍ଡା ଓ ତାଙ୍କ ପରିବାର ଲୋକଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ୪ଟି ଦାମୀ ପ୍ଲଟ, ଏକ ୩ ମହଲା କୋଠା, ଗୋଟିଏ ୨ ମହଲା କୋଠା, ୨ଟି ଦାମୀ କାର ଏବଂ ବ୍ୟାଙ୍କ ଜମାକୁ ଭିଜିଲାନ୍ସ ଟିମ ଠାବ କରିଛି। ଭିଜିଲାନ୍ସ ଇଂ ପଣ୍ଡାଙ୍କୁ ନେଇ ଭିଜିଲାନ୍ସ ପଚରାଉଚରା କରିବା ସହ କିଛି ସ୍ଥାନରେ ଏବେ ବି ଚଢଉ ଜାରି ରଖିଛି। ପ୍ରକାଶ ଯେ ୨୦୧୦ରେ ଇଂ ପଣ୍ଡାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।  ହେଲେ ଉଚ୍ଚ ନ୍ୟାୟାଳୟରେ ମାମଲା ସେ ଲଢି ପୁଣିଥରେ ଚାକିରିରେ ଯୋଗ ଦେଇଥିଲେ।  ଓପିଏଚଡବ୍ଲ୍ୟୁସି ବ୍ରହ୍ମପୁର କାର୍ଯାଳୟରେ ଇଂ ପଣ୍ଡା ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବାବେଳେ ନିକଟରେ ଡିଜିଏମ ଭାବେ ତାଙ୍କ ପଦୋନ୍ନତି ହୋଇଥିଲା।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL