ଓଡ଼ିଶା

ରାଜଧାନୀରେ ଖୋଲିବ ଗୁପ୍‌ଚୁପ୍ କର୍ଣ୍ଣର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏଣିକି ଆଉ ରାସ୍ତା କଡ଼ରେ ଠିଆ ହୋଇ ଖାଇବାକୁ ପଡ଼ିବନି ଗୁପ୍‌ଚୁପ୍‌। ଗୋଟିଏ ଜାଗାରେ ମିଳିବ ଭଳି କି ଭଳି ଗୁପ୍‌ଚୁପ୍। କାରଣ ଭୁବନେଶ୍ୱର ମହାନଗର ନିଗମ (BMC) ଖୋଲିବ ଗୁପ୍‌ଚୁପ୍‌ କର୍ଣ୍ଣର। ପାଇଲଟ ପ୍ରୋଜେକ୍ଟ ଭାବେ ଆଚାର୍ଯ୍ୟ ବିହାର ନିକଟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ( ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଜୁକେଶନ ବା RIE) ସମ୍ମୁଖରେ ଜାଗା ଚିହ୍ନଟ କରିଛି ବିଏମ୍‌ସି। ଏହି ଜାଗାକୁ ବୁଲି ଦେଖିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।
ସହିଦ ନଗର ଛକ ଠାରୁ ନିକୋ ପାର୍କ ପର୍ଯ୍ୟନ୍ତ ଗୁପ୍‌ଚୁପ୍‌ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ ଏହି ପାଇଲଟ ପ୍ରୋଜେକ୍ଟରେ ସାମିଲ କରାଯିବ। ଏହି ଗୁପ୍‌ଚୁପ୍‌ ଦୋକାନୀମାନଙ୍କୁ ବିଏମସି ପକ୍ଷରୁ ମାଗଣାରେ ଗୋଟିଏ ପ୍ରକାରର ସ୍ୱତନ୍ତ୍ର ଟ୍ରଲି ଦିଆଯିବ। ବେପାର ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଦିଆଯିବ। ସ୍ୱଚ୍ଛତାର ସହିତ କିଭଳି ସେମାନେ ଗୁପ୍‌ଚୁପ୍‌ ବ୍ୟବସାୟ କରିବେ, ସେ ଦିଗରେ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ସେହି ଜାଗାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ କରାଯାଇଛି।
ଓପନ ଭେଣ୍ଡିଂ ଜୋନ୍ ଢାଞ୍ଚାରେ ନିର୍ମାଣ ହୋଇଥିବା ଏହି ଗୁପ୍‌ଚୁପ୍‌ କର୍ଣ୍ଣର ବା ଗୁପ୍‌ଚୁପ୍ ବଜାରରେ ୩୦ରୁ ୪୦ଟି ଦୋକାନ ଖୋଲିହେବ। ଏହି ଗୁପ୍‌ଚୁପ୍‌ କର୍ଣ୍ଣର ପାଇଁ ପାର୍କିଂ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।
ଲୋକଙ୍କ ମନ ପସନ୍ଦର ଗୁପ୍‌ଚୁପ୍‌କୁ ଗୋଟିଏ ମାର୍କେଟରେ ଉପଲବ୍ଧ କରାଇବାକୁ ବିଏମ୍‌ସି ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ରାସ୍ତାକଡ଼ରେ ମନଇଚ୍ଛା ଗୁପ୍‌ଚୁପ୍‌ ଦୋକାନ ଖୋଲୁଥିବା ବେଳେ ଏଥିପାଇଁ ରାସ୍ତାରେ ଭିଡ଼ ଜମୁଛି। ଗୁପ୍‌ଚୁପ୍ ଖାଇବା ପାଇଁ ରାସ୍ତାକଡ଼ରେ ଲୋକେ ଗାଡ଼ି ପାର୍କିଂ କରୁଥିବା ଯୋଗୁ ଟ୍ରାଫିକ୍ ସମସ୍ୟା ଉପୁଜୁଛି। ଏହାକୁ ସୁବ୍ୟବସ୍ଥିତ କରିବାକୁ ବିଏମ୍‌ସି ଏପରି ଅଭିନବ ଉପାୟ ଆପଣାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL