ଜାତୀୟ

ମାଲବାହୀ ଟ୍ରେନ୍‌ ଉପରେ ଚଢ଼ିଗଲା ଯାତ୍ରୀବାହୀ; ୧୦ ମୃତ

ରାୟପୁର : ଛତିଶଗଡ଼ର ବିଳାସପୁର ଜିଲ୍ଲାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ବେଳେ ଏକ ଯାତ୍ରୀବାହୀ (ମେମୁ) ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।
ବିଳାସପୁର ଓ କାନ୍ତି ସେକ୍ସନ ମଧ୍ୟରେ ଲାଲ ଖାଦାନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଟ୍ରେନ୍‌ (ମେମୁ)ଟି ମାଲବାହୀ ଟ୍ରେନ୍‌କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଏହାର ଇଞ୍ଜିନ୍‌ ଓ ତତ୍‌ସଂଲଗ୍ନ ବଗି ମାଲବାହୀ ଟ୍ରେନ୍‌ ଉପରେ ଚଢ଼ିଯାଇଥିଲା। ସେହିପରି ଯାତ୍ରୀବାହୀ ଟ୍ରେନ୍‌ର ଏକାଧିକ ବଗି ଲାଇନଚ୍ୟୁତ ହୋଇଥିଲା।
ସୂଚନା ଅନୁଯାୟୀ, ଯାତ୍ରୀବାହୀ ଟ୍ରେନ୍‌ଟି ସିଗ୍‌ନାଲ ନମାନି ଆଗକୁ ଯାତ୍ରା କରିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା।
ଏହି ଦୁର୍ଘଟଣା ଫଳରେ ରେଳଧାରଣା ଉପର ଦେଇ ଯାଇଥିବା ବିଦ୍ୟୁତ୍ ତା’ର ସହିତ ସିଗ୍‌ନାଲ ସିଷ୍ଟମ ପ୍ରଭାବିତ ହୋଇଛି। ସେହି ରୁଟ୍ ଦେଇ ରେଳ ଚଳାଚଳ ବନ୍ଦ ରହିଛି।
ରେଳବାଇର ଉଦ୍ଧାରକାରୀ ଟିମ୍ ସହିତ ଆରପିଏଫ ଯବାନ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏକାଧିକ ଏମର୍ଜେନ୍ସୀ ମେଡିକାଲ ଟିମ୍ ପହଞ୍ଚି ଆହତମାନଙ୍କୁ ଚିକିତ୍ସା କରୁଛନ୍ତି। ଅଧିକ ମେଡିକାଲ ୟୁନିଟ୍ ଓ ରିଲିଫ୍ ଟିମ୍‌କୁ ସେଠାକୁ ପଠାଯାଇଥିବା ଜଣାପଡ଼ିଛି।
ରେଳ କର୍ତ୍ତୃପକ୍ଷ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଆରମ୍ଭ କରାଯିବ।
ରେଳବାଇ ପକ୍ଷରୁ ଯାତ୍ରୀ ଓ ସେମାନଙ୍କ ସଂପର୍କୀୟଙ୍କ ପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରିଛି। ସେଗୁଡ଼ିକ ହେଉଛି, ଚମ୍ବା ଜଙ୍କସନ୍- 808595652; ରାଇଗଡ଼- 975248560; ପେଣ୍ତ୍ରା ରୋଡ୍‌ – 8294730162 ଓ ଦୁର୍ଘଟଣାସ୍ଥଳ- 9752485499, 8602007202।

aduser

About Author

LOKA SAMACHAR @2026. All Rights Reserved || Developed By CBSPL