ଉଦଳା: ଭାଇ ଭଉଣୀ ଭାସିଯାଇ ମୃତ । ଭାଇ ପାଣିରେ ବୁଡ଼ିଥିବା ଦେଖି ଉଦ୍ଧାର କରିବାକୁ ଯାଇଥିଲା ଦିବ୍ୟାଙ୍ଗ ଭଉଣୀ । ହେଲେ ଉଭୟ ଭାଇ ଭଉଣୀଙ୍କ ଭାସି ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଖୁଣ୍ଟା ଥାନା ମହ୍ଲାରପଦା ଗାଁରେ । ଆଜି ସକାଳେ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ସ୍ଥାନରେ ନଦୀ ଭିତରେ ଦୁଇ ଗୋଟି ମୃତଦେହ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଦୁଇ ମୃତଦେହ ଉଦ୍ଧାର କରିଛି । ମହ୍ଲାରପଦା ଗ୍ରାମର ପରମେଶ୍ୱର ନାୟକ ଏବଂ ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ ଘରେ ରୁହନ୍ତି ।
ପରମେଶ୍ୱର ଘର ପାଖରେ ପ୍ରବାହିତ ନାଲୁହା ନଦୀର କେନାଲରେ ଅସାବଧାନତା ଯୋଗୁଁ ପଡ଼ି ଯାଇଥିଲେ । ଏହାକୁ ଦେଖି ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ତାଙ୍କୁ ଉଦ୍ଧାର କରିବାକୁ କେନାଲ ଭିତରକୁ ଡେଇଁଥିଲେ । ସେ ମଧ୍ୟ ପାଣି ସୁଅରେ ଭାସି ଯାଇଥିଲେ। ଯାହାକି ଘର ଠାରୁ ଏକ କିଲୋମିଟର ଦୂର ନାଲୁହା ନଦୀ ପାଣିରେ ଭାସି ଯାଇ କରକଚିଆ ପୋଲ ତଳେ ଅଟକିଥିଲେ। ତେବେ ପାଣିରେ ବୁଡି ଉଭୟ ଭାଇ ଏବଂ ଦିବ୍ୟାଙ୍ଗ ଭଉଣୀଙ୍କ ମୃତ୍ୟୁ ହୋଇଛନ୍ତି ।







