ଓଡ଼ିଶା

୫ ଦିନ ଠପ୍ ହେବ ବ୍ୟାଙ୍କ କାରବାର, ୧୧ରେ ଧର୍ମଘଟ ପରେ ସାପ୍ତାହିକ ଓ ପାର୍ବଣ ଛୁଟି

ଭୁବନେଶ୍ୱର : ଆସନ୍ତ ୧୧ରୁ ଲଗାତାର ୫ ଦିନ ବନ୍ଦ ରହିବ ବ୍ୟାଙ୍କ । ​ ଧର୍ମଘଟ ସହ ସାପ୍ତାହିକ ଓ ପର୍ବପର୍ବାଣି ଛୁଟି । ଠପ୍ ହେବ କାରବାର । ବ୍ୟାଙ୍କ କର୍ମଚାରୀ ସଂଘର ଧର୍ମଘଟ ଡାକରା ସାଙ୍ଗକୁ ଦ୍ୱିତୀୟ ଶନିବାର, ରବିବାର ଏବଂ ପର୍ବପର୍ବାଣି ଛୁଟି ପଡ଼ୁଥିବାରୁ ଆସନ୍ତା ସପ୍ତାହରେ ବ୍ୟାଙ୍କିଂ କାରବାର ସମ୍ପୂର୍ଣ୍ଣ ପ୍ରଭାବିତ ହେବାକୁ ଯାଉଛି । ପାର୍ବଣ ଋତୁ ଆରମ୍ଭରେ ଏଭଳି ଦୀର୍ଘ ଦିନର ବନ୍ଦ ଯୋଗୁଁ ସାଧାରଣ ଗ୍ରାହକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ବର୍ଗ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଇଛି। କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ଦିଗରେ ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ (UFBU) ପକ୍ଷରୁ ଆସନ୍ତା ୧୧ ତାରିଖରେ ସାରା ଦେଶରେ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ବ୍ୟାଙ୍କ କର୍ମଚାରୀଙ୍କ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା, ପେନସନ ଅପଡେଟ୍, ନୂତନ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଭଳି କେତେକ ଦୀର୍ଘଦିନର ଦାବିକୁ ନେଇ UFBU ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି ।

କେନ୍ଦ୍ର ସରକାର ଓ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (IBA) ସହ ଆଲୋଚନା ବିଫଳ ହେବା ପରେ କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଫଳରେ ଶୁକ୍ରବାର ଦିନ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ରହିବ । ଏହା ପରଦିନ ଅର୍ଥାତ୍ ୧୨ ତାରିଖ ଦ୍ୱିତୀୟ ଶନିବାର ଏବଂ ୧୩ ତାରିଖ ରବିବାର ଥିବାରୁ ବ୍ୟାଙ୍କ ସ୍ୱାଭାବିକ ଭାବେ ବନ୍ଦ ରହିବ । ଏହା ପରେ ୧୪ ତାରିଖ ସୋମବାର ଗଣେଶ ପୂଜା ଏବଂ ୧୫ ତାରିଖ ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଇଁ ସରକାରୀ ଛୁଟି ରହିଛି । ଏହିପରି ଭାବେ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ କ୍ରମାଗତ ୫ ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ଶାଖା ବନ୍ଦ ରହିବ। ୧୬ ତାରିଖ ବ୍ୟାଙ୍କଗୁଡ଼ିକ ପୁଣି ସ୍ୱାଭାବିକ ଭାବେ ଖୋଲିବ।

ଲଗାତାର ପାଞ୍ଚ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଚେକ୍ କ୍ଲିୟରାନ୍ସ, ଡ୍ରାଫ୍ଟ, ବ୍ୟବସାୟିକ ଋଣ ପ୍ରକ୍ରିୟା ଏବଂ ନଗଦ ଜମା ସମ୍ପୂର୍ଣ୍ଣ ଠପ୍ ହୋଇଯିବ। ବିଶେଷକରି ପର୍ବପର୍ବାଣି ସମୟ ହୋଇଥିବାରୁ ବଜାରରେ କାରବାର ବୃଦ୍ଧି ପାଇବ । ଏପରି ସ୍ଥିତିରେ ବ୍ୟାଙ୍କ ଏଟିଏମ୍ ଗୁଡ଼ିକରେ ଟଙ୍କା ଶେଷ ହୋଇଯିବା ଆଶଙ୍କା ବଢ଼ିଯାଇଛି । ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମ୍ ରେ ପର୍ଯ୍ୟାପ୍ତ ଟଙ୍କା ମହଜୁଦ ରଖିବାକୁ ପଦକ୍ଷେପ ନେଉଥିବା ଦାବି କରୁଥିଲେ ମଧ୍ୟ ଚାହିଦା ତୁଳନାରେ ଏହା ଯଥେଷ୍ଟ ନହେବାର ସମ୍ଭାବନା ରହିଛି । ​ଅନ୍ୟପକ୍ଷରେ, ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ୟୁପିଆଇ (UPI) ଭଳି ଡିଜିଟାଲ୍ ସେବା ସ୍ୱାଭାବିକ ଭାବେ ଚାଲୁ ରହିବ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତଥାପି ନଗଦ କାରବାର ଉପରେ ନିର୍ଭର କରୁଥିବା ଗ୍ରାହକମାନେ ଆଗୁଆ ଆବଶ୍ୟକ ଟଙ୍କା ଉଠାଇ ରଖିବାକୁ ପରାମର୍ଶ ଦିଆଯାଇଛି ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL