ଓଡ଼ିଶା

ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଳ ଟ୍ରାକ୍‌କୁ ମଞ୍ଜୁରୀ, ରାଜ୍ୟରେ ଆହୁରି ସୁଦୃଢ଼ ହେବ ରେଳ ଭିତ୍ତିଭୂମି

ଭୁବନେଶ୍ବର: ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଳ ଟ୍ରାକ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି ପକ୍ଷରୁ ଅନୁମୋଦନ ମିଳିଛି। ଏହା ସହ ଆଉ ଦୁଇଟି ପ୍ରମୁଖ ରେଳ ସମ୍ପ୍ରସାରଣ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ମଞ୍ଜୁର ହୋଇଥିବା ୩ଟି ପ୍ରମୁଖ ରେଳ ପ୍ରକଳ୍ପ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼କୁ ସଂଯୋଗ କରିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୫ଟି ରାଜ୍ୟର ୧୪ଟି ଜିଲ୍ଲାର ପ୍ରାୟ ୫୬ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେବେ।

ବିଶେଷକରି ଝାରସୁଗୁଡ଼ା-ଖଡ଼ଗପୁର ରେଳପଥର ୪ ଲେନ୍‌ ସମ୍ପ୍ରସାରଣ ଓଡ଼ିଶାର ଶିଳ୍ପାଞ୍ଚଳ ଓ ପୂର୍ବ ଭାରତର ପ୍ରମୁଖ ରେଳ କରିଡର୍‌କୁ ଆହୁରି ମଜବୁତ କରିବ। ଏହା ଦ୍ୱାରା ଯାତ୍ରୀ ଓ ମାଲ ପରିବହନ କ୍ଷମତା ବଢ଼ିବା ସହ ରେଳ ଯାତାୟାତରେ ଗତି ଆସିବ ବୋଲି ଆଶା କରାଯାଉଛି।ଏହି ୩ଟି ରେଳ ପ୍ରକଳ୍ପ ପାଇଁ ମୋଟ ୧୦,୭୮୩ କୋଟି ଟଙ୍କା ବ୍ୟୟ ହେବ। ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଅନେକ ଅଞ୍ଚଳରେ ରେଳ ସଂଯୋଗ ବଢ଼ିବା ସହ ଶିଳ୍ପ, ବାଣିଜ୍ୟ ଓ ରୋଜଗାର କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ। ଏହି ମଞ୍ଜୁରୀକୁ ଓଡ଼ିଶା ସମେତ ସମ୍ପୃକ୍ତ ୫ଟି ରାଜ୍ୟର ରେଳ ଭିତ୍ତିଭୂମି ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL