ଓଡ଼ିଶା

ଏମକେସିଜି ଡାକ୍ତରୀ ଛାତ୍ର ନିଖୋଜ; ଅଗଷ୍ଟ ୩୧ରୁ ମିଳୁନି ପତ୍ତା

ବ୍ରହ୍ମପୁର:ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ର ନିଖୋଜ ହୋଇଥିବା ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଛାତ୍ର ଜଣକ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କପାଳି ଗ୍ରାମର ସାଗର ସାହୁ (୨୧) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଅଗଷ୍ଟ ୩୧ ତାରିଖରୁ ସାଗରଙ୍କ କୌଣସି ସନ୍ଧାନ ମିଳୁନାହିଁ। ନିଖୋଜ ହେବା ପରେ ତାଙ୍କ ମୋବାଇଲ ଫୋନ ବ୍ରହ୍ମପୁର ରେଳ ଷ୍ଟେସନର ପ୍ରଥମ ପ୍ଲାଟଫର୍ମରୁ ମିଳିଥିବା ସୂଚନା ମିଳିଛି। ଏହାକୁ ନେଇ ପରିବାର ଲୋକଙ୍କ ଚିନ୍ତା ବଢ଼ିଛି।ସାଗର ନିଟ୍‌ ପରୀକ୍ଷାରେ କୌଣସି କୋଚିଂ ନେଇନଥିବା ସତ୍ତ୍ୱେ ସଫଳତା ହାସଲ କରି ଏମକେସିଜି ମେଡିକାଲ କଲେଜରେ ନାମ ଲେଖାଇଥିଲେ। ସେ ବର୍ତ୍ତମାନ ପ୍ରଥମ ବର୍ଷ ଏମବିବିଏସ୍‌ରେ ଅଧ୍ୟୟନ କରୁଥିଲେ। ସାଗରଙ୍କ ମାମୁଁ କୁଳମଣି ସାହୁ ଏନେଇ ସୂଚନା ଦେଇଛନ୍ତି।

ସାଗର ନିଖୋଜ ଘଟଣାରେ ବୈଦ୍ୟନାଥପୁର ଥାନା ଓ ଜିଆରପି ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ପରିସରରେ ଲାଗିଥିବା ସିସିଟିଭି  କ୍ୟାମେରା ଫୁଟେଜ୍‌ ଯାଞ୍ଚ କରାଯାଉଥିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, ସାଗର ପଶ୍ଚିମବଙ୍ଗର ଖଡ଼ଗପୁରରେ ଥିବା ନେଇ ଜଣେ ବ୍ୟକ୍ତି ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିବା ସାଗରଙ୍କ ଅଭିଭାବକ କହିଛନ୍ତି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL