ଓଡ଼ିଶା

ବିଦ୍ୟାଳୟ ନଯାଇ ଘରେ ରହୁଛନ୍ତି ‘ପୁଜା’, ‘ଅଭି’ ଓ ‘ବେବି’

ଉଦଳା  ୦୭/୦୮ : ବିଦ୍ୟାଳୟ ଖାତାରେ ପିଲାଙ୍କ ନାମ ଗଡ଼ିଚାଲିଥିବା ଓ ଆଦୌ ପିଲାମାନେ ବିଦ୍ୟାଳୟ ଆସୁନଥିବାର ଦୃଶ୍ୟ ସମଗ୍ର କପ୍ତିପଦା ଉପଖଣ୍ଡ ମଧ୍ୟରେ ବହୁଳ ଭାବରେ ଦେଖିବାକୁ ମିଳୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହିଭଳି ବହୁବନ୍ଧ ପଂଚାୟତର ଅସୁରଖାଲ ଗ୍ରାମର ବାସିନ୍ଦା ବୁଧିଆ ପାତ୍ରଙ୍କର ୧୧ ବର୍ଷ ବୟସର କନ୍ୟା ‘ପୁଜା’ ଓ ୮ ବର୍ଷ ବୟସର ପୁତ୍ର ‘ଅଭି’ଙ୍କ ସମେତ ମଙ୍ଗଲ ପାତ୍ରଙ୍କର ୬ବର୍ଷ ବୟସର କନ୍ୟା ‘ବେବି’ ଦିର୍ଘ ବର୍ଷ ଧରି ଆଦୌ ବିଦ୍ୟାଳୟ ଯାଉନଥିବାର କଥା ପରିବାରର ଲୋକେ ଜଣାଇଛନ୍ତି । ଗୋଧିମରା ପ୍ରାଥମିକ ବିଦ୍ୟାଳୟରେ ଏହି ପିଲାମାନେ ନାମ ଲେଖାଇଥିବାର କଥା କହିଛନ୍ତି । ବିଦ୍ୟାଳୟ ଦୁରରେ ଥିବାରୁ ଜଙ୍ଗଲ ପାରି ହୋଇ ନିୟମିତ ଯିବା ଆସିବା ପିଲାଙ୍କ ପକ୍ଷେ ସମ୍ଭବ ହେଉନାହିଁ ।

ତେଣୁ ଏହି ପିଲାମାନେ ଆଦୌ ବିଦ୍ୟାଳୟ ଯାଉନଥିବାର ଅଭିଭାବକ ଜଣାଇଛନ୍ତି । ଦିର୍ଘ ବର୍ଷ ଧରି ଅନୁପସ୍ଥିତ ଥିବା ଏହି ପିଲାଙ୍କ ନାମ ବିଦ୍ୟାଳୟ ଖାତାରେ ଗଡ଼ିଚାଲିଛି କି କଟିଯାଇଛି ତାହା ପରିବାର ଲୋକଙ୍କୁ ଜଣାନଥିବାର କଥା ସେମାନେ କହିଛନ୍ତି । ଅନୁପସ୍ଥିତ ଏହି ପିଲାମାନଙ୍କୁ ବିଦ୍ୟାଳୟ ତରଫରୁ ଥରଟିଏ ବି ଖୋଜା ପଡ଼ିନାହିଁ ବୋଲି ଅବିଭାବକ କହିଛନ୍ତି । ତାଛଡ଼ା ଏହି ୩ଜଣ ଯାକ ପିଲାଙ୍କର ଆଧାର କାର୍ଡ଼ ମଧ୍ୟ ନାହିଁ । ଫଳରେ ସରକାର ଖାଦ୍ୟ ଯୋଜନାରେ ଯୋଗାଇ ଦେଉଥିବା ମୁଣ୍ଡପିଛା ୫କିଗ୍ର ଚାଉଳ ପାଇବାରୁ ବଂଚିତ ଅଛନ୍ତି । ଆଧାର ପାଇଁ ବାରମ୍ବାର ଫଟୋ ଉଠାଇଥିଲେ ମଧ୍ୟ କାର୍ଡ଼ କାହିଁକି ଆସୁନାହିଁ ତାହା ତାଙ୍କୁ ଜଣାନଥିବାର କହିଛନ୍ତି । ଦିନମଜୁରିଆ ଭାବରେ କାମ କରି ନିଜର ଦୈନନ୍ଦିନର ଗୁଜୁରାଣ ମେଂଟାଉଥିବା ଏହି ଦୁଇ ପରିବାରର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବାର ଜଣାଇଛନ୍ତି । ବିଭାଗୀୟ କତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ବହୁ ସ୍ୱେଛାସେବି ଅନୁରୋଧ ଜଣାଇଛନ୍ତି ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL