ଓଡ଼ିଶା

ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ: ଘୋଷଣା କଲେ ସରକାର

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧକୁ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ ଭାବେ ଘୋଷଣା କଲେ ରାଜ୍ୟ ସରକାର । ଏନେଇ ଶୁକ୍ରବାର ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ସହକାରୀ ପ୍ରଣାଳୀ, ବୈଜ୍ଞାନିକ ପଦ୍ଧତିରେ ଗୋପାଳନ ଏବଂ ସରକାରୀ ଯୋଜନାମାନଙ୍କର ସଠିକ୍ ସମନ୍ୱୟ ମାଧ୍ୟମରେ ଏହି ଗ୍ରାମରେ ଦୁଗ୍ଧ ଚାଷ ଏକ ସ୍ଥାୟୀ ଜୀବିକା ମଡେଲ୍ ଭାବେ ପରିଣତ ହୋଇ ପାରିଛି ।

ସେ ଆହୁରି ସୂଚନା ଦେଇଛନ୍ତି, ବରଗଡ ଜିଲ୍ଲା ପ୍ରଶାସନ ଏବଂ ସମଲେଶ୍ଵରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘର ମିଳିତ ସହଯୋଗରେ ପ୍ରତିଷ୍ଠିତ ଏହି ଦୁଗ୍ଧ ଗ୍ରାମରେ, ପ୍ରତିଦିନ ଚାଷୀମାନେ ଏକତ୍ରିତ ହୋଇ ସମବାୟ ମାଧ୍ୟମରେ କ୍ଷୀର ସଂଗ୍ରହ କରିବା ସହ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ କ୍ଷୀରର ଗୁଣବତ୍ତାକୁ ପରୀକ୍ଷା କରିବା ପରେ ନିକଟସ୍ଥ ଡେରି ପ୍ଳାଣ୍ଟକୁ ପଠାଇ ସଠିକ ମୂଲ୍ୟରେ ବିକ୍ରି କରିଥାନ୍ତି ।

ସମବାୟ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ ସହ ଦୈନିକ ଦୁଗ୍ଧ କାର୍ଯ୍ୟକଳାପରେ ନିୟୋଜନ ଏବଂ ସମସାମୟିକ ଦେୟ ପ୍ରଦାନ ବ୍ୟବସ୍ଥା ଯୋଗୁଁ ବିଶେଷ ଭାବରେ ଗାଁର ମହିଳାମାନଙ୍କୁ ମିଳିଛି, ରୋଜଗାରର ନୂଆ ବାଟ ଏବଂ ଆର୍ଥିକ ସ୍ଥିରତା ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏମକେୱାଇ ପାଳନ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ନାବାର୍ଡ-ଗ୍ରାମୀଣ ଭିତ୍ତିଭୂମି ପ୍ରୋତ୍ସାହନ ପାଣ୍ଠି ସାହାଯ୍ୟରେ ଚାଷୀଙ୍କୁ ଗାଈ କିଣିବା ଠାରୁ ଆରମ୍ଭ କରି ଗାଈ ଗୁହାଳ ନିର୍ମାଣ, ଘାସ ଚାଷ, ଭର୍ମିକମ୍ପୋଷ୍ଟ ୟୁନିଟ୍ ପ୍ରତିଷ୍ଠା ଏବଂ ଆଧୁନିକ ଦୁଗ୍ଧ ଉପକରଣ କ୍ରୟ ନିମନ୍ତେ ପ୍ରତ୍ସାହନ ରାଶି ଦିଆଯାଇଛି । ଏହାଦ୍ୱାରା ଝାରବନ୍ଧ ଗ୍ରାମରେ ବସବାସ କରୁଥିବା ମୋଟ ୮୫୬ ଗୋଟି ପରିବାର ମଧ୍ୟରୁ ୨୪୦ ଜଣ ଚାଷୀ ଦୁଗ୍ଧ ସମବାୟର ସଦସ୍ୟ ଭାବେ ନିବନ୍ଧିତ ହୋଇଛନ୍ତି ।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL