ଜାତୀୟ

ଦେଶର ୧୧ ଏମ୍ସରେ ଖାଲି ପଡ଼ିଛି ୧୬୦୦ ଶିକ୍ଷକ ପଦ, ଡାକ୍ତରୀ ଶିକ୍ଷାଦାନ ପ୍ରଭାବିତ

ନୂଆଦିଲ୍ଲୀ: ଦେଶର ୧୧ଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ରେ ୧୬୦୦ ଶିକ୍ଷକ ପଦ ଖାଲି ପଡିଛି। ଏହି ସବୁ ଏମ୍ସରେ ମୋଟ ୪୦୯୯ଟି ଅନୁମୋଦିତ ଶିକ୍ଷକ ପଦ ରହିଛି। ସୂଚନା ଅଧିକାର (ଆରଟିଆଇ) ତଥ୍ୟ ଅନୁଯାୟୀ ୧୧ଟି ଏମ୍ସର ଅନୁମୋଦିତ ଶିକ୍ଷକ ପଦ ମଧ୍ୟରୁ ପ୍ରତିଟି ୧୦ଟିରେ ୪ଟି ଖାଲି ପଡିଛି। ଏମ୍ସ ଭଳି ଦେଶର ପ୍ରମୁଖ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନରେ ଏତେ ସଂଖ୍ୟକ ଶିକ୍ଷକ ପଦ ଖାଲି ରହିବା ଉଦ୍‌ବେଗର ବିଷୟ। ଏହାଦ୍ବାରା ରୋଗୀଙ୍କ ଚିକିତ୍ସା ସେବା ବାଧାପ୍ରାପ୍ତ ହେବା ସହିତ ଡାକ୍ତରୀ ଶିକ୍ଷାଦାନ ମଧ୍ୟ ପ୍ରଭାବିତ ହେଉଛି। ଏପରି କି ଦେଶର ସବୁଠାରୁ ପୁରୁଣା ଦିଲ୍ଲୀ ଏମ୍ସରେ ୫୨୪ ଶିକ୍ଷକ ପଦ ଖାଲି ରହିଛି। ଦିଲ୍ଲୀ ଏମ୍ସରେ ଅନୁମୋଦିତ ଶିକ୍ଷକ ପଦ ସଂଖ୍ୟା ହେଉଛି ୧୩୦୬। ଏହା ଦେଶର ଏକ ମୁଖ୍ୟ ରେଫରାଲ ହସ୍ପିଟାଲ। ଏଠାରେ ମେଡିସିନ୍‌, ସର୍ଜରୀ, ଆନାସ୍ଥେସିଆ, ପେଡିଆଟ୍ରିକ୍, ନ୍ୟୁରୋଲୋଜି, ଅନକୋଲୋଜି ଭଳି ବିଭାଗରେ ଶିକ୍ଷକ ପଦ ଖାଲି ରହିଛି। ନୂଆ କରି ଗଠନ ହୋଇଥିବା ଏମ୍ସଗୁଡିକରେ ଅଧିକ ସଂଖ୍ୟାରେ ଶିକ୍ଷକ ପଦ ଖାଲି
ରହିଛି। ଯୋଧପୁର ଏମ୍ସରେ ୪୦୫ଟି ଶିକ୍ଷକ ପଦରୁ ୧୮୯ଟି ଖାଲି ରହିଛି।

ଓଡ଼ିଶାର ଭୁବନେଶ୍ବରରେ ଥିବା ଏମ୍ସରେ ୨୬% ଶିକ୍ଷକ ପଦ ଖାଲି ରହିଛି। ଅନ୍ୟାନ୍ୟ ଏମ୍ସ ମଧ୍ୟରେ ଗୋରଖପୁରରେ ୪୫.୫%, ଜାମ୍ମୁରେ ୪୪.୩%, କଲ୍ୟାଣୀରେ ୪୦%, ବିଳାସପୁରରେ ୪୦%, ନାଗପୁରରେ ୩୬.୭%, ଭଟିଣ୍ଡାରେ ୩୭.୪%, ରାୟପୁରରେ ୩୪.୮%, ଭୋପାଳରେ ୨୫.୬% ଶିକ୍ଷକ ପଦ ଖାଲି ରହିଛି। ଦିଲ୍ଲୀ ଏମ୍ସର ମିଡିଆ ସେଲ୍ ମୁଖ୍ୟ ରିମା ଦାଦା କହିଛନ୍ତି ଖାଲିପଡିଥିବା ଶିକ୍ଷକ ପଦରେ ନୂଆ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଚାଲୁରହିଛି। ଦେଶର ପ୍ରମୁଖ ରେଫରାଲ ହସ୍ପିଟାଲ ହୋଇଥିବାରୁ ଏଠାକୁ ବିଭିନ୍ନ ଜଟିଳ ରୋଗରେ ପୀଡିତ ଲକ୍ଷ ଲକ୍ଷ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL