ଜାତୀୟ

ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ

ନୂଆଦିଲ୍ଲୀ: ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେ ଅଘଟଣ ।  ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ ।  ନାଇଜେରିଆର ରିଭର୍ସ ଷ୍ଟେସ୍ ସ୍ଥିତ ଓକାରି ଜେଟି ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା ।  ରିପୋର୍ଟ ଅନୁଯାୟୀ, କିଛି ଲୋକ ପୋର୍ଟ ହାରକୋର୍ଟ ରିଫାଇନେରୀ ଦେଇ ଯାଇଥିବା ଏକ ହାଇ-ପ୍ରେସର ଅଶୋଧିତ ତେଲ ପାଇପଲାଇନକୁ କାଟି ତେଲ ଚୋରି କରିବାକୁ ଉଦ୍ୟମ କରୁଥିଲେ ।

ତେଲ ଚୋରି କରି ନିଜ ବୋଟରେ ତେଲ ଭରୁଥିବା ସମୟରେ ପାଇପଲାଇନରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥିଲା। ଏଥିଯୋଗୁଁ ତେଲ ଚୋରିରେ ସମ୍ପୃକ୍ତ ଥିବା ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୩୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏକାଧିକ ଲୋକଙ୍କ ମୃତଦେହ ନଦୀରୁ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏବେ ବି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ସେପଟେ ରିଭର୍ସ ଷ୍ଟେଟ୍ ପୋଲିସ ପ୍ରଶାସନ ଚୋରି ଓ ବିଷାକ୍ତ ଗ୍ୟାସ୍ ନିର୍ଗତ ଘଟଣାକୁ ସ୍ବୀକାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ନାଇଜେରିଆରେ ପାଇପଲାଇନ କାଟି ତେଲ ଚୋରି କରିବା ନୂଆ ଘଟଣା ନୁହେଁ।

ଏହା ପୂର୍ବରୁ ପୋର୍ଟ ହାରକୋର୍ଟ ଦେଇ ଯାଇଥିବା ପାଇପ ଲାଇନରୁ ବେଆଇନ ତେଲ ଚୋରି ହୋଇଥିବା ନଜିର ରହିଛି। ଯାହା ନାଇଜେରିଆ ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତିବର୍ଷ ଏହି ଚୋରି ଯୋଗୁଁ ନାଇଜେରିଆ ସରକାର ଲକ୍ଷାଧିକ ଡଲାରର ଆର୍ଥିକ କ୍ଷତି ସହୁଛନ୍ତି। ସେହିପରି ଅନେକ ସମୟରେ ପାଇପ୍ ଲାଇନରୁ ତେଲ ଓ ଗ୍ୟାସ୍ ଲିକ ହେବା ଯୋଗୁ ବିଭିନ୍ନ ସମୟରେ ପାଇପଲାଇନରେ ନିଆଁ ଲାଗିଥିବା ପ୍ରାଣହାନୀ ଘଟିଥିବା ନଜିର ରହିଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL