ଓଡ଼ିଶା

ଉଚ୍ଚ ଶିକ୍ଷା ପାଇଁ ଗରିବ ମେଧାବୀ SC/ST ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଇବେ ରାଜ୍ୟ ସରକାର

ଭୁବନେଶ୍ୱର: ଗରିବ ମେଧାବୀ SC/ST ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଇବେ ରାଜ୍ୟ ସରକାର। ସ୍ନାତକୋତ୍ତର ଓ Ph.D ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଯିବ କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ। ବିଦେଶର ଶ୍ରେଷ୍ଠ ୨୦୦ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ିବେ ଛାତ୍ରଛାତ୍ରୀ। ବାର୍ଷିକ ପରିବାର ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଥିବା ଛାତ୍ରଛାତ୍ରୀ ସୁବିଧା ପାଇବେ। ଏହି ଯୋଜନା ଅଧୀନରେ ମୋଟ ୫୦ SC/ST ପିଲା ସୁଯୋଗ ପାଇବେ।

ଓଡ଼ିଶା ସରକାର ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ପାଇଁ ‘ବିଦେଶ ଶିକ୍ଷାବୃତ୍ତି’ (Bidesh Sikhyabruti) ଯୋଜନା ଆରମ୍ଭ କରିଛନ୍ତି. ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ (MMCPY) ଅଧୀନରେ ଏହି ନୂତନ ସ୍କଲାରସିପ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ବିଦେଶ ଶିକ୍ଷାବୃତ୍ତି ଯୋଜନା’ ପାଇଁ ଅନଲାଇନ୍ ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି। ଫଳରେ ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀମାନେ ଅଧିକ ସମୟ ପାଇପାରିବେ।

ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଆବେଦନ କରିବାର ଶେଷ ତାରିଖ ପୂର୍ବରୁ ସେପ୍ଟେମ୍ବର ୧, ୨୦୨୬ ଥିବାବେଳେ ବର୍ତ୍ତମାନ ଏହାକୁ ସେପ୍ଟେମ୍ବର ୧୮, ୨୦୨୬ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ୍ https://scholarship.odisha.gov.in ମାଧ୍ୟମରେ ନିଜର ଆବେଦନ ଦାଖଲ କରିପାରିବେ।

ବିଦେଶର ଶ୍ରେଷ୍ଠ ୨୦୦ଟି ‘QS-Ranked’ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ନାତକୋତ୍ତର (PG) ଏବଂ ପିଏଚଡି (Ph.D.) କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି। ବାର୍ଷିକ ପରିବାର ଆୟ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ଯୋଗ୍ୟ SC/ST ଛାତ୍ରଛାତ୍ରୀମାନେ ଏହି ଯୋଜନାର ଲାଭ ଉଠାଇବାକୁ ଯୋଗ୍ୟ ବିବେଚିତ ହେବେ।

ଏହି ଯୋଜନା ଅଧୀନରେ ରାଜ୍ୟର ମୋଟ ୫୦ ଜଣ SC/ST ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯିବ। ବର୍ଦ୍ଧିତ ସମୟସୀମା ଉଭୟ ଶିକ୍ଷାବର୍ଷ ୨୦୨୫-୨୬ (ଡିସେମ୍ବର ୨୦୨୫/ଜାନୁଆରୀ ୨୦୨୬) ଏବଂ ୨୦୨୬-୨୭ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ। ଅଧିକ ତଥ୍ୟ ତଥା ନିର୍ଦ୍ଦେଶାବଳୀ ପାଇଁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ ପରିଦର୍ଶନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL