ନୂଆଦିଲ୍ଲୀ: BRICS ପାଇଁ ଅଲଗା ମୁଦ୍ରା (BRICS Currency) ପ୍ରଚଳନ କରିବା ସପକ୍ଷରେ ଭାରତ ନାହିଁ। ଏପରି କୌଣସି ନୂଆ ମୁଦ୍ରା ଯୋଜନାକୁ ଭାରତ ସମର୍ଥନ କରୁନାହିଁ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ।
ଜୟପୁରରେ ଦୁଇ ଦିନିଆ BRICS ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀସ୍ତରୀୟ ବୈଠକ ଶେଷ ହେବା ପରେ ସାମ୍ବାଦିକମାନଙ୍କ ସହ କଥା ହୋଇ ପୀୟୂଷ ଗୋଏଲ କହିଥିଲେ, “ଭାରତ BRICS ମୁଦ୍ରାର ସପକ୍ଷରେ ନାହିଁ। ଏପରି କୌଣସି BRICS ମୁଦ୍ରା ଯୋଜନା ଆଣିବାକୁ ଆମେ ସମର୍ଥନ କରୁନାହୁଁ। ଏହି ପ୍ରସ୍ତାବକୁ ଭାରତ ବିରୋଧ କରୁଛି।”
ବର୍ତ୍ତମାନ BRICS ଗୋଷ୍ଠୀରେ ବିଶ୍ୱର ୧୧ଟି ପ୍ରମୁଖ ଉଦୀୟମାନ ଅର୍ଥନୀତି ଓ ବିକାଶଶୀଳ ଦେଶ ସାମିଲ ଅଛନ୍ତି। ସେଗୁଡ଼ିକ ହେଲେ- ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ,ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ସଂଯୁକ୍ତ ଆରବ ଏମିରେଟ୍ସ (UAE)। ଏହି ଗ୍ରୁପ ବିଶ୍ୱ ଓ ଆଞ୍ଚଳିକ ଗୁରୁତ୍ୱର ସମସାମୟିକ ପ୍ରସଙ୍ଗ, ରାଜନୈତିକ ଏବଂ ଆର୍ଥିକ ପ୍ରଶାସନ ସମ୍ବନ୍ଧୀୟ ବିଷୟରେ ଆଲୋଚନା ଓ ସହଯୋଗ ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରେ।
ଗତ କିଛି ବର୍ଷ ଧରି BRICSର କିଛି ସଦସ୍ୟ ଦେଶ, ବିଶେଷ କରି ରୁଷ ଓ ଚୀନ, ଆମେରିକୀୟ ଡଲାରର ବିକଳ୍ପ ଖୋଜିବା କିମ୍ବା BRICSର ନିଜସ୍ୱ ମୁଦ୍ରା ଆରମ୍ଭ କରିବା ପକ୍ଷରେ ମତ ରଖିଆସୁଛନ୍ତି। ଏଭଳି କ୍ଷେତ୍ରରେ ପୀୟୂଷ ଗୋଏଲଙ୍କ ଏହି ବୟାନ ସେହି ପୃଷ୍ଠଭୂମିରେ ବିଶେଷ ଗୁରୁତ୍ୱ ବହନ କରୁଛି।
୨୦୨୪ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ BRICS ଦେଶମାନଙ୍କୁ ସତର୍କ କରି କହିଥିଲେ ଯେ, ଯଦି ଆମେରିକୀୟ ଡଲାରକୁ ବଦଳାଇବା ପାଇଁ କୌଣସି ପଦକ୍ଷେପ ନିଆଯାଏ, ତେବେ ତାହାର ପରିଣାମ ଭୋଗିବାକୁ ପଡ଼ିପାରେ।
ପୀୟୂଷ ଗୋଏଲ କହିଛନ୍ତି ଯେ, ଜୟପୁରରେ ଆୟୋଜିତ ବୈଠକରେ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସନ୍ତୁଳିତ ବାଣିଜ୍ୟ ଏବଂ ନିବେଶ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହା ସହିତ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରକୁ ସହଜ ଓ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଉପଲବ୍ଧ କରାଇବା ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିଥିଲା।
BRICS ମୁଦ୍ରାକୁ ଭାରତ ସମର୍ଥନ କରେନି: ନୂଆ ମୁଦ୍ରା ଯୋଜନାର ବିରୋଧ କଲେ ପୀୟୂଷ ଗୋଏଲ




