ଓଡ଼ିଶା

ପିୟୁସିସି ପାଇବାକୁ ହେଲେ ପୈଠ କରିବାକୁ ହେବ ବକେୟା ଚାଲାଣ

କଟକ: ପ୍ରଦୂଷଣ ପ୍ରମାଣ ପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ। ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହିତ ଏସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ ୧୬୭ ସବ କ୍ଲଚ୍‌ ୧୨ ଅନୁସାରେ ବକେୟା ଚାଲାଣ ଥିଲେ ପିୟୁସିସି ପାଇଁ ଆବେଦନ କରିହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ଗତ ୨୭ ଜାନୁଆରୀରେ ହାଇକୋର୍ଟ ଯେଉଁ ଅନ୍ତରୀଣ ନିର୍ଦେଶ ଦେଇଥିଲେ, ସେହି ମୁତାବକ ପିୟୁସିସି ନଥିଲେ ପେଟ୍ରୋଲ ମିଳିବା ନେଇ ଜାରି ହୋଇଥିବା କଟକଣା କାର୍ଯ୍ୟକାରୀ ହୋଇନଥିଲା। କିନ୍ତୁ ନିକଟରେ ପରିବହନ ବିଭାଗ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି। ଯେଉଁଥିରେ ସଂଶୋଧିତ ମୋଟର ଭେହିକଲ ରୁଲ ବାବଦରେ କୋର୍ଟଙ୍କୁ ଅବଗତ କରାଯାଇଛି। ଯାହା ସମ୍ପର୍କରେ ଆଜି ଆଡ଼ଭୋକେଟ ଜେନେରାଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ହାଇକୋର୍ଟ ଏହାକୁ ଗ୍ରହଣ କରିବା ସହିତ ଦାୟର ଜନସ୍ୱାର୍ଥ ମାମଲା ଉପରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି।

ଗତ ଡିସେମ୍ବର ୨୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଧେଶନାମାରେ ଉଲେଖ ଥିଲା ଯେ, ଗାଡି ମାଲିକଙ୍କ ପିୟୁସିସି ନଥିଲେ ତାଙ୍କୁ ପେଟ୍ରୋଲ କି ଡିଜେଲ ମନା । ଏନେଇ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ବିରୋଧ କରି ହାଇକୋର୍ଟରେ ଦାୟର ହୋଇଥିଲା ଜନସ୍ୱାର୍ଥ ମାମଲା। ମୋଟର ଯାନ ଆଇନ, ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ ଉଲଂଘନ କରି ଏହି ନିର୍ଦେଶନାମା ଜାରି କରାଯାଇଛି ବୋଲି ଜନସ୍ୱାର୍ଥ ମମାଲାରେ ଉଲେଖ କରାଯାଇଥିଲା।

ଗାଡିର ପିୟୁସିସି ପ୍ରମାଣପତ୍ର ନଥିବା ଯାନ ମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନକରିବା ଗାଡି ମାଲିକଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଥିବା କୋର୍ଟକୁ ଦର୍ଶାଇଥିଲେ ଆବଦେନକାରୀଙ୍କ ଓକିଲ। ଏଥିସହିତ ଗାଡିର ପ୍ରଦୂଷଣ ପରୀକ୍ଷା ପୂର୍ବରୁ କୌଣସି ଚାଲାଣ ନଥିବା ନେଇ ଯେଉଁ ସର୍ତ୍ତ ଧାର‌୍ୟ୍ୟ କରାଯାଇଥିଲା ତାହା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଥିଲେ ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL