ଓଡ଼ିଶା

୪ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ, ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ ଲେଖକ ଚରଣ ହେମ୍ବ୍ରମ ସମ୍ମାନିତ

ଭୁବନେଶ୍ୱର : ଓଡ଼ିଶାର ଚରଣ ହେମ୍ବ୍ରମଙ୍କ ସହ ୪ ଜଣଙ୍କୁ ୨୦୨୬ ପାଇଁ  ପଦ୍ମଶ୍ରୀ ସମ୍ମାନ  ।  ଓଡ଼ିଶାର ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ଚରଣ ହେମ୍ବ୍ରମଙ୍କୁ ୨୦୨୬ ପାଇଁ ପଦ୍ମଶ୍ରୀ ସମ୍ମାନ ।  ସାହିତ୍ୟ ଓ ଶିକ୍ଷାକ୍ଷେତ୍ର ପାଇଁ ଶ୍ରୀ ହେମ୍ବ୍ରମ ପାଇଲେ ପଦ୍ମଶ୍ରୀ ସମ୍ମାନ ।  ଜାତୀୟ ଗଣମାଧ୍ୟମରେ ସୁତ୍ରରୁ ସୂଚନା ମିଳିଛି ।  ସେହିପରି ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଓ  ସୀମାଞ୍ଚଳ ପାତ୍ରଙ୍କୁ କଳା ପାଇଁ ପଦ୍ମଶ୍ରୀ ସମ୍ମାନ ।  ଓଡ଼ିଶାର ୪ ଜଣ ପଦ୍ମଶ୍ରୀ ପାଇଛନ୍ତି ଯାହାର ତାଲିକା ପ୍ରକାଶ ପାଇଛି ।

ଚରଣ ହେମ୍ବ୍ରମ ହେଉଛନ୍ତି ଜଣେ ବିଶିଷ୍ଟ ସାନ୍ତାଳୀ ଲେଖକ ଏବଂ ସଙ୍ଗୀତ ରଚନାକାର, ଯିଏ ନିଜ ଜୀବନକୁ ସାନ୍ତାଳୀ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମର୍ପିତ କରିଛନ୍ତି ।  ସାନ୍ତାଳୀ ଭାଷାକୁ ଏକ ସ୍ୱତନ୍ତ୍ର ପରିଚୟ ଏବଂ ମାନ୍ୟତା ଦେବା ପାଇଁ ତାଙ୍କର ଅବଦାନ ଅତୁଳନୀୟ ।  ବିଗତ ତିନି ଦଶନ୍ଧି ଧରି ସେ ଆଦିବାସୀ ସଂସ୍କୃତି ଏବଂ ଶିକ୍ଷାର ବିକାଶ ପାଇଁ ଅନେକ ଅନୁଷ୍ଠାନ ଗଠନ କରିଛନ୍ତି ।  ଏହି ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ଆଦିବାସୀ ପିଲାମାନେ ନିଜର ପରମ୍ପରା ଏବଂ କଳା ବିଷୟରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଉଛନ୍ତି ।

ସାନ୍ତାଳୀ ନୃତ୍ୟ ଓ ଗୀତକୁ ଜୀବନ୍ତ ରଖିବା ପାଇଁ ସେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି ।  ବିଶେଷ କରି ମହିଳାମାନଙ୍କ ମଧ୍ୟରେ ସ୍ଥାନୀୟ ନୃତ୍ୟ ପରମ୍ପରାକୁ ଲୋକପ୍ରିୟ କରିବା ପାଇଁ ସେ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ଜଣେ ରଚନାକାର ଭାବରେ ସେ ସାନ୍ତାଳୀ ସମାଜର ଜୀବନଶୈଳୀ, ସଂଘର୍ଷ ଏବଂ ସୌନ୍ଦର୍ଯ୍ୟକୁ ନିଜର ଲେଖନୀ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ।  ତାଙ୍କର ଏହି ନିରବଚ୍ଛିନ୍ନ ପ୍ରଚେଷ୍ଟା ଯୋଗୁଁ ଆଜି ସାନ୍ତାଳୀ କଳା ଓ ସଂସ୍କୃତି ଜାତୀୟ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି ।

ସେହିପରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇ ଗାଁର ସୀମାଞ୍ଚଳ ପାତ୍ର ।  ୯୮ ବର୍ଷ ବୟସରେ ବି ପ୍ରହଲ୍ଲାଦ ନାଟକ ଜରିଆରେ ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବା ସହ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ବପୂର୍ଣ୍ଣ ଅବଦାନ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଆଖଡ଼ା ପ୍ରସ୍ତୁତ କରି ଅନେକ ଛାତ୍ରଙ୍କୁ ପ୍ରଶିକ୍ଷଣ ଦେବା ସହ ଅନେକ କଳାକାର ସୃଷ୍ଟି କରିପାରିଛନ୍ତି ।  ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରହଲ୍ଲାଦ ନାଟକର ବିଭିନ୍ନ କ୍ଷେତ୍ରରେ ଗୁରୁ ପ୍ରହଲ୍ଲାଦ ପାତ୍ରଙ୍କ ଅବଦାନ ଅତୁଳନୀୟ ।

କଟକ ଜିଲ୍ଲା ନୂଆପାଟଣା ଗାଁର ଶରତ କୁମାର ପାତ୍ର ।  ଓଡ଼ିଶାର ପାରମ୍ପରିକ ବାନ୍ଧ କଳାର ଜଣେ ମହାନ କାରିଗର। ପ୍ରାକୃତିକ ରଙ୍ଗ ବ୍ୟବହାର କରି ବାନ୍ଧ କଳାରେ ନିପୁଣତା ହାସଲ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଗୀତ ଗୋବିନ୍ଦ ଶ୍ଳୋକ, ଦଶାବତାର ଏବଂ ବୁଦ୍ଧଙ୍କ ଜୀବନୀକୁ ଲୁଗାରେ ବାନ୍ଧ କଳା ମାଧ୍ୟମରେ ଅତି ନିଖୁଣ ଭାବେ ଫୁଟାଇ ପାରିଛନ୍ତି।

ମହେନ୍ଦ୍ର କୁମାର ମିଶ୍ର ଓଡ଼ିଶାର ଜଣେ ବିଶିଷ୍ଟ ଭାଷାବିତ୍ ଏବଂ ଲୋକ ଗବେଷକ । ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ମୌଖିକ ପରମ୍ପରା, ପୁରାଣ, ଲୋକଗୀତ ଏବଂ ପ୍ରବାଦଗୁଡ଼ିକୁ ସଂଗ୍ରହ ତଥା ସଂରକ୍ଷଣ କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ।  ଓଡ଼ିଆ ଏବଂ ଆଦିବାସୀ ଲୋକସଂସ୍କୃତି ଉପରେ ସେ ୨୫ରୁ ଅଧିକ ପୁସ୍ତକ ରଚନା କରିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL