ଓଡ଼ିଶା

୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ; ଆଜିର ଛାତ୍ରଛାତ୍ରୀ ବୈଜ୍ଞାନିକ ହୋଇ ଦେଶକୁ ଆତ୍ମନିର୍ଭର କରିବେ

କେନ୍ଦୁଝର: କେନ୍ଦୁଝରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଗୋଟିଏ ସଭ୍ୟତାର ବିକାଶ ପଛରେ ସବୁଠାରୁ ବଡ ଭୂମିକା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ରହିଛି। କଳା ଓ ସଂସ୍କୃତି ସାମାଜିକ ପରମ୍ପରାରେ ମହକ ସୃଷ୍ଟି କରିଥାଏ। କିନ୍ତୁ, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ମୂଳଭିତ୍ତି ହେଉଛି ବିଜ୍ଞାନ। କେଉଁ ପ୍ରାଚୀନ କାଳରୁ ଆମ ଦେଶର ୠଷି, ମୁନୀ ଓ ପଣ୍ଡିତମାନେ ବିଭିନ୍ନ ବୈଜ୍ଞାନିକ ସୂତ୍ରକୁ ସୃଷ୍ଟି କରିଥିଲେ। ଆମର ଚତୁର୍ବେଦର ଅନେକ ଅଂଶରେ ସମ୍ପୂର୍ଣ୍ଣ ବୈଜ୍ଞାନିକ ଚିନ୍ତାଧାରା ପ୍ରତିଫଳିତ ହୋଇଛି। ଆଚାର୍ଯ୍ୟ କଣାଦ ବୈଶେଷିକ ସୂତ୍ରରେ ଅଣୁ ଓ ପରମାଣୁ ସମ୍ପର୍କରେ ବର୍ଣ୍ଣନା ରହିଛି। ଆମ ଓଡିଶାର ମହାନ୍ ଜ୍ୟୋତିର୍ବିଦ୍ ପଠାଣି ସାମନ୍ତ ମାତ୍ର ଦୁଇ ଖଣ୍ଡ ବାଉଁଶ ନଳୀରୁ ପୃଥିବୀରୁ ଚନ୍ଦ୍ର ପର୍ଯ୍ୟନ୍ତ ଦୂରତାକୁ ସଠିକ୍ ମାପି ପାରିଥିଲେ । ଭାରତରେ ରହିଛି ଜ୍ଞାନର ଏକ ସଂସ୍କୃତି। ସେଥିରେ ଆତ୍ମା ଓ ପରମାତ୍ମା ଭଳି ଦାର୍ଶନିକ ତତ୍ତ୍ବର ଗବେଷଣା ଓ ଚର୍ଚ୍ଚା କରାଯାଉଥିବା ବେଳେ, ସାମାଜିକ ପ୍ରଗତି ଓ ଅର୍ଥନୈତିକ ଉନ୍ନତି ପାଇଁ ପ୍ରୟୋଗ ଭିତ୍ତିକ ବିଜ୍ଞାନ ବା ଟେକ୍ନୋଲୋଜିର ବିକାଶରେ ମଧ୍ୟ ଉଦ୍ୟମ କରାଯାଇଛି। ଆମର ଏହି ଜ୍ଞାନର ସଂସ୍କୃତିକୁ ଜନକଲ୍ୟାଣରେ ଲଗାଇବା ପାଇଁ ତୁମ ଭଳି ମେଧାବୀ ପିଲା ଓ ଯୁବକ ମାନେ ଅଧିକ ଗବେଷଣା କରିବା ଆବଶ୍ୟକ। ଆଜିକାଲି ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବହୁତ୍ ପ୍ରକାର ସାଧନ ଅଛି। ପାଠ୍ୟ ପୁସ୍ତକ ବ୍ୟତୀତ ଡିଜିଟାଲ ଲାଇବ୍ରେରୀ ଏବଂ ବିଭିନ୍ନ ଅନ୍‌ଲାଇନ୍ ମାଧ୍ୟମରେ ଅନେକ ନୂଆ ନୂଆ ତଥ୍ୟ ଓ ଜ୍ଞାନ ଉପଲବ୍ଧ ଅଛି। ଏହାକୁ ଉପଯୋଗ କରି ଛାତ୍ରଛାତ୍ରୀମାନେ ଅଧିକ ଗବେଷଣା କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।

ଆହୁରି ମଧ୍ୟ ସେ କହିଥିଲେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦୃଢ ପ୍ରତିଜ୍ଞା ନେଇଛନ୍ତି। ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତିର ଏକ ବଡ ଭୂମିକା ରହିବ। ନୂଆ ନୂଆ ଜ୍ଞାନ ପାଇଁ ଆବଶ୍ୟକ ହେଉଛି ଗବେଷଣା। ତେଣୁ ଆଜିକାର ଛାତ୍ରଛାତ୍ରୀ ପ୍ରତିଭାବାନ୍ ପିଲାମାନେ ଆଗାମୀ ଦିନରେ ବ୍ୟାପକ ଗବେଷଣା କରିବା ଉଚିତ। ବୈଜ୍ଞାନିକ ଚିନ୍ତାଧାରା ନେଇ ସବୁ ଜିନିଷର ଅନୁସନ୍ଧାନ କରିବା ଉଚିତ। ଆଜିକାର ଛାତ୍ରଛାତ୍ରୀ ଆଗାମୀ ଦିନରେ ବଡ ବୈଜ୍ଞାନିକ ହୋଇ ନୂଆ ନୂଆ ଟେକ୍ନୋଲୋଜିର ଉଦ୍‌ଭାବନ କରିବା ସହିତ ଦେଶକୁ ଆତ୍ମନିର୍ଭର ହେବାରେ ନିଜର ଯୋଗଦାନ ରଖଇବାକୁ ପରାମର୍ଶ ଦେଇଥିଲେ।

ବର୍ତ୍ତମାନ ଓଡିଶାରେ ଆମ ସରକାର ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରାଯାଇଛି। ଏଥିରେ ବିଶେଷକରି ସ୍କୁଲ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆମର ଲକ୍ଷ୍ୟ ହେଉଛି ଗୁଣାତ୍ମକ ଶିକ୍ଷା। ସେଥିପାଇଁ ପ୍ରାଥମିକ ସ୍ତରରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗଠନ କରାଯିବ। ପ୍ରଥମ ପର୍ଯ୍ୟାୟ ରେ ୧୨ ହଜାର କୋଟି ଟଙ୍କାରେ ୨୨ ଶହ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ପ୍ରାଥମିକ ସ୍ତରରେ ଭଲ ଶିକ୍ଷାପାଇଲେ ହାଇସ୍କୁଲ ଓ କଲେଜ୍ ସ୍ତରରେ ମଧ୍ୟ ତୁମର ପ୍ରତିଭାର ବିକାଶ ଘଟିବ। ଆଗାମୀ ଦିନରେ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଆହୁରି ଅନେକ ପରିବର୍ତ୍ତନ କରାଯିବ। ମୌଳିକ ଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଦକ୍ଷତା ଉପରେ ବ୍ୟାପକ ଗୁରୁତ୍ବ ଦେବା ଆରମ୍ଭ କରାଯାଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ବିଧାୟକ ଅଖିଳ ଚନ୍ଦୟ ନାୟକ, କେନ୍ଦୁଝରଗଡ ପୌର ପରିଷଦର ଅଧ୍ୟକ୍ଷକ୍ଷା ନିକୁ ସାହୁ ଜିଲ୍ଲପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL