ଓଡ଼ିଶା

ବିଶ୍ରାମ ଗୃହରେ ଧାନ ରଖିଲେ ଚାଷୀ, ଧାନ କିଣାରେ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ

ରେଙ୍ଗାଲି: ଧାନ କିଣାକୁ ନେଇ ରାଜ୍ୟର ବିଭିନ୍ନ ଜାଗାରେ ଚାଷୀ କୂଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ସରକାରଙ୍କ ଆଶ୍ବାସନାକୁ ସେମାନେ ଭରସା କରିପାରୁନାହାନ୍ତି। ଗତ ରବି ଫସଲରେ ଏମିତି ଅନେକ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି । ପୁଣି ଖରିଫ ଫସଲ ବେଳକୁ ସେହି ଅବସ୍ଥା। ରବି ଫସଲରେ ଧାନ ବର୍ଷାରେ ଭିଜି ଯାଇଥିବାରୁ ଚାଷୀମାନେ ଅନେକ କ୍ଷୟ କ୍ଷତି ସହିଛନ୍ତି। ଋଣ ବୋଝ ଚାପରେ ଏବେ ବି ଚାଷୀ ରହିଛନ୍ତି। କିନ୍ତୁ ଖରିଫ ଫସଲ ଅମଳ ହେଲା ବେଳକୁ ପୁଣି ଧାନ ବିକ୍ରିରେ ସରକାରଙ୍କ  ନିଷ୍କ୍ରିୟତାକୁ ନେଇ ବର୍ତ୍ତମାନ ଚାଷୀ ଚିନ୍ତାରେ।

ମଣ୍ଡିରେ କାନ୍ଦୁଛନ୍ତି ଚାଷୀ। ଅତାବିରାରେ ଧାନ ବିକ୍ରିକୁ ନେଇ ଅଧିକ ଜଟିଳ ସମସ୍ୟା ହେଉଛି। ମଣ୍ଡିରେ ଧାନ ରଖିବା ସହ ଅନେକ ଚାଷୀ ସୋମବାର ଅତାବିରା ମାର୍କେଟ ୟାର୍ଡ ଭିତରେ ଥିବା ବିଶ୍ରାମ ଗୃହରେ ଧାନ ଭରି ରଖିଛନ୍ତି। ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀ କେତେବେଳେ ରାସ୍ତାକୁ ଓହ୍ଲାଉଛନ୍ତି   ତ କେତେବେଳେ ଅଫିସ ଘେରାଉ କରୁଛନ୍ତି। ୨୦ ତାରିଖରୁ ଧାନ କିଣା ଆରମ୍ଭରୁ ହିଁ ଲାଗିରହିଛି ସମସ୍ୟା। ଏପରି ସ୍ଥିତିରେ ସରକାର ଚାଷୀଙ୍କ ପ୍ରତି ସହୃଦୟତା ଦେଖାଇବା ବଦଳରେ ନିଷ୍କ୍ରିୟତା ମନୋଭାବ ପୋଷଣ କରୁଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ବୁଦ୍ଧିଜୀବୀ ମହଲରେ ସରକାରଙ୍କ ଏତାଦୃଶ କାର୍ଯ୍ୟପନ୍ଥା ଓ ବ୍ୟବସ୍ଥାକୁ ଅନେକ ସମାଲୋଚନା କରୁଥିବା ଦେଖାଯାଇଛି।  କ୍ଷମତାକୁ ଆସିବା ପୂର୍ବରୁ ସରକାର ଚାଷୀଙ୍କ ଧାନ ଦର ବୃଦ୍ଧି କରିବାର ପ୍ରତିଶ୍ରୁତି ଦେଇଥିଲେ, ଯାହାକୁ ନେଇ ଚାଷୀମାନେ ନୂତନ ସରକାରଙ୍କୁ କ୍ଷମତାକୁ ଆଣିବାରେ ବେଶ୍ ଭୂମିକା ନିର୍ବାହ କରିଥିଲେ। କିନ୍ତୁ ସରକାର କ୍ଷମତାକୁ ଆସିବା ପରେ ଚତୁରତା  ଦେଖାଉଥିବା ଚାଷୀମାନେ କହୁଛନ୍ତି। କାରଣ ଧାନ କିଣିଲେ ସିନା ଅଧିକ ଦର ଦେବେ, ଯଦି ଧାନ ନ କିଣିବେ, ତା’ହେଲେ ବୋନସ ବି ଦେବାକୁ ପଡ଼ିବ ନାହିଁ। ତେଣୁ ମୂଳ ମାଇଲେ ଯାଉ ସରି… ଭଳି ଧାନ କିଣିନାହାନ୍ତି। ଏମିତି ପରିସ୍ଥିତିରେ ଚାଷୀମାନେ ଅଭିନବ ଉପାୟ ଅବଲମ୍ବନ କରି ନିଜର ଧାନକୁ ସୁରକ୍ଷିତରେ ରଖିବାର ପ୍ରୟାସ କରିଛନ୍ତି। ତେଣୁ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL