Uncategorized ଓଡ଼ିଶା

ଗୋଟିଏ ରାତିରେ ୪୮ ଚୋରା ବାଲିବୋଝେଇ ହାଇୱା ଜବତ: ଉତ୍ତୋଳନରେ ବ୍ୟବହୃତ ୪ ଜେସିବି ଧରାପଡ଼ିଲା, ୧୦ ଅଟକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ମହାନଦୀର କିଲିପାଳ ବାଲି ସୈରାତରେ ଦୀର୍ଘ ବର୍ଷ ଧରି ବ୍ୟାପକ ଚୋରା ବାଲି କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ଗତକାଲି ବିଳମ୍ବିତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ନେତୃତ୍ବରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏକାଧିକ ଟିମ୍ କରି ଜିଲ୍ଲାର ବିଭିନ୍ନ ବାଲିଘାଟରେ ଚଢ଼ଉ କରି ବଡ଼ ଧରଣର ରାକେଟ ଠାବ କରିଛନ୍ତି।
ଗୋଟିଏ ରାତିରେ ୪୮ ଚୋରା ବାଲି ବୋଝେଇ ହାଇୱା ଜବତ କରାଯାଇଛି। ସେହିପରି ଉତ୍ତୋଳନରେ ବ୍ୟବହୃତ ୪ ଜେସିବି ମଧ୍ୟ ଧରାପଡ଼ିଛି। ଏହି ଗାଡ଼ିଗୁଡ଼ିକୁ ବିଭିନ୍ନ ଥାନାରେ ରଖାଯାଇଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି।
ରାଜ୍ୟରେ କୌଣସି ଗୋଟିଏ ରାତିରେ ଏତେଗୁଡ଼ିଏ ଚୋରା ବାଲିବୋଝେଇ ହାଇୱା ଧରାପଡ଼ିବା ପ୍ରଥମ ଘଟଣା ବୋଲି କୁହାଯାଉଛି। ସେହିପରି ଏହି ଚଢ଼ଉ ଜଗତସିଂହପୁର ଜିଲ୍ଲାରେ ବାଲି ମାଫିଆଙ୍କ ନିଦ ହଜାଇ ଦେଇଛି। ଏହି ଚଢ଼ଉରେ ଅତିରିକ୍ତ ଏସପି, ଉପଜିଲ୍ଲାପାଳ, ଜଗତସିଂହପୁର ଓ ତିର୍ତ୍ତୋଲ ଏସଡିପିଓ ସାମିଲ ଥିଲେ।
ଡିଆଇଜିଙ୍କ ନେତୃତ୍ବରେ ଜିଲ୍ଲାପାଳ, ଏସପିଙ୍କ ରାତି ତମାମ୍ ଚଢ଼ଉ ଚାଲିଥିଲା। ଏଥିରେ ୫୦ରୁ ଅଧିକ ପୁଲିସ ଓ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ। ଏହି ଘଟଣା ଜଗତସିଂହପୁର ଜିଲ୍ଲାର‌େ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଅଧିକାରୀମାନେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସାହସ ଜୁଟାଇଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ସାଧାରଣରେ ସରକାରୀ ଅଧିକାରଙ୍କୁ ପ୍ରଶଂସା କରାଯାଉଛି। ଏହି ଧରଣର ଚଢ଼ଉ ଆଗକୁ ଜାରି ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL