ଜାତୀୟ

କୁକୁର କାମୁଡ଼ିବା ପାଇଁ ୨୦ ଲକ୍ଷର କ୍ଷତି ପୂରଣ ମାଗିଲେ ମହିଳା

ନୂଆଦିଲ୍ଲୀ : ରାସ୍ତାରେ ଯାଉଥିବା ବେଳେ କିଛି ବୁଲା କୁକୁର ମହିଳାଙ୍କୁ କାମୁଡ଼ି ପକାଇଥିଲେ। ଏଥିରେ ଗୁରୁତର ହୋଇଥିବା ମହିଳା ପରବର୍ତ୍ତୀ ସମୟରେ ସୁସ୍ଥ ହୋଇଛନ୍ତି। କିନ୍ତୁ ମହିଳା ଜଣଙ୍କ କୁକୁର କାମୁଡ଼ି ଯୋଗୁ ୨୦ ଲକ୍ଷର କ୍ଷତିପୂରଣ ଦିଲ୍ଲୀ ପୌରପାଳିକା ବା ଏମସିଡିକୁ ମାଗିଛନ୍ତି। ଶାରୀରିକ, ମାନସିକ ଓ ଆର୍ଥିକ କ୍ଷତି ବାବଦରେ ସେ ଏମସିଡି ଠାରୁ ୨୦ ଲକ୍ଷ ଟଙ୍କା ଚାହୁଁଛନ୍ତି।
ଦିଲ୍ଲୀ ହାଇକୋର୍ଟ(Delhi High Court)ରେ ପ୍ରିୟଙ୍କା ରାୟ ଦାଖଲ କରିଥିବା ଆବେଦନରେ କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ବାଇକରେ ବସି ଯାଉଥିବା ବେଳେ ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗର ସ୍ଥିତ ଖିରକି ରାସ୍ତାରେ ତାଙ୍କୁ କିଛି ବୁଲା କୁକୁର(Dog) କାମୁଡ଼ି ପକାଇଥିଲେ।
ତେଣୁ ସେ ୨୦୨୩ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ପ୍ରସ୍ତୁତ କରିଥିବା ଫର୍ମୁଲା ଅନୁସାରେ ଏମସିଡି ଠାରୁ କ୍ଷତିପୂରଣ ମାଗିଛନ୍ତି। ୨୦୨୩ରେ ହାଇକୋର୍ଟ ରିଲିଫ ଅର୍ଥ ପ୍ରଦାନ ବେଳେ ବିଭିନ୍ନ କାରଣକୁ ଦୃଷ୍ଟିରେ ରଖିବାକୁ ପଡ଼ିବ ବୋଲି କହିଥିଲେ। ହାଇକୋର୍ଟ କହିଥିଲେ ଯେ ପୀଡ଼ିତ/ପୀଡ଼ିତାଙ୍କ ଶରୀରରେ କେତୋଟି ଦାନ୍ତ ଚିହ୍ନ ରହିଛି ଓ ଚର୍ମରୁ ମାଂସ ବାହାରିଛି କି ନାହିଁ, ତା’କୁ ଆଧାର କରି କ୍ଷତିପୂରଣ ରାଶି ସ୍ଥିର ହେବା ଦରକାର।
ଏହାକୁ ଆଧାର କରି ପ୍ରିୟଙ୍କା ୧୨ ସେମିର କ୍ଷତାକ୍ତ ସ୍ଥାନ ପାଇଁ ୧୨ ଲକ୍ଷ ଟଙ୍କା ମାଗିଛନ୍ତି। ହାଇକୋର୍ଟ ୦.୨ ସେମି କ୍ଷତଚିହ୍ନ ପାଇଁ ୨୦ ହଜାର ଟଙ୍କା ଲେଖାଏ ଦେବାକୁ କହିଥିଲେ। ଗୋଟିଏ ଦାନ୍ତ ଚିହ୍ନ ପାଇଁ ୧୦ ହଜାର ହିସାବରେ ସେ ୪.୨ ଲକ୍ଷ ଦେବାକୁ କହିଛନ୍ତି। କାରଣ ତାଙ୍କ ଶରୀରରେ କୁକୁରର ସମସ୍ତ ୪୨ଟି ଦାନ୍ତର ଦାଗ ରହିଥିଲେ।
ଘଟଣା ପରେ ସେ ମାନସିକ ଭାରସାମ୍ୟ ହରାଇଥିଲେ। ତେଣୁ ଏ ବବାଦରେ ସେ ୩.୮ ଲକ୍ଷ ମାଗିଛନ୍ତି। ଏପରି ଭାବେ ସେ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଆବେଦନ କରିଛନ୍ତି। ତାଙ୍କ ଆବେଦନ ପରେ ହାଇକୋର୍ଟଙ୍କ ପକ୍ଷରୁ ଏମସିଡିକୁ ନୋଟିସ କରାଯାଇଛି। ପରବର୍ତ୍ତୀ ସମୟରେ ଏହାର ଶୁଣାଣି ହେବ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL