ଓଡ଼ିଶା

ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ଓଡ଼ିଶାକୁ ୪୪୪ କୋଟି

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟର ୨୦ଟି ଯୋଗ୍ୟ ଜିଲ୍ଲା ପଞ୍ଚାୟତ (ଜିଲ୍ଲା ପରିଷଦ), ୨୯୬ଟି ଯୋଗ୍ୟ ବ୍ଲକ ପଞ୍ଚାୟତ (ପଞ୍ଚାୟତ ସମିତି) ଏବଂ ୬,୭୩୪ଟି ଯୋଗ୍ୟ ଗ୍ରାମ ପଞ୍ଚାୟତକୁ ଦ୍ୱିତୀୟ କିସ୍ତି ମୁକ୍ତ ଅନୁଦାନ ଆକାରରେ ୩୪୨ କୋଟି ୫୯ ଲକ୍ଷ ୬୪ ହଜାର ଟଙ୍କା ପ୍ରଦାନ କରାଯାଇଛି।

ଏହା ସହିତ, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ କିସ୍ତି ମୁକ୍ତ ଅନୁଦାନର ସ୍ଥଗିତ ଅଂଶ ଆକାରରେ ୧୦୧ କୋଟି ୭୮ ଲକ୍ଷ ୧୫ ହଜାର କୋଟି ଟଙ୍କା ଓଡ଼ିଶାକୁ ମିଳିଛି। ଏହି ଅର୍ଥ ୨୦ଟି ଯୋଗ୍ୟ ଜିଲ୍ଲା ପରିଷଦ, ୨୩୩ଟି ଯୋଗ୍ୟ ପଞ୍ଚାୟତ ସମିତି ଏବଂ ୬୪୯ଟି ଯୋଗ୍ୟ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯାଇଛି। ଭାରତ ସରକାର, ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ (ପାନୀୟ ଜଳ ଏବଂ ପରିମଳ ବିଭାଗ) ମାଧ୍ୟମରେ, ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ରାଜ୍ୟଗୁଡ଼ିକୁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ପ୍ରଦାନ କରିବାକୁ ସୁପାରିସ କରିଥା’ନ୍ତି।

ଅର୍ଥ ମନ୍ତ୍ରଣାଳୟ ପରବର୍ତ୍ତୀ ସମୟରେ ପ୍ରତି ଆର୍ଥିକ ବର୍ଷରେ ଦୁଇଟି କିସ୍ତିରେ ଏହି ଅନୁଦାନ ପ୍ରଦାନ କରିଥାଏ। ଦରମା ଏବଂ ପ୍ରତିଷ୍ଠାନ ଖର୍ଚ୍ଚକୁ ବାଦ ଦେଇ ଏକାଦଶ ସୂଚୀରେ ତାଲିକାଭୁକ୍ତ ୨୯ ବିଷୟ ଅଧୀନରେ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଏହି ଅନଟାଏଡ୍‌ ଗ୍ରାଣ୍ଟ ବା ମୁକ୍ତ ଅନୁଦାନକୁ ଖର୍ଚ୍ଚ କରିପାରିବେ। ଅନ୍ୟପକ୍ଷରେ ଟାଏଡ୍‌ ଗ୍ରାଣ୍ଟ ବା ବନ୍ଧିତ ଅନୁଦାନକୁ ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଓଡିଏଫ୍ ସ୍ଥିତିର ରକ୍ଷଣାବେକ୍ଷଣ ଭଳି ଅତ୍ୟାବଶ୍ୟକ ସେବା ସହିତ ପାନୀୟ ଜଳ ଯୋଗାଣ, ବର୍ଷାଜଳ ଅମଳ ଏବଂ ଜଳ ପୁନଃଚକ୍ରଣ ପାଇଁ ବ୍ୟବହାର କରାଯାଇଥାଏ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL