ଓଡ଼ିଶା ଭୁବନେଶ୍ୱର

ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ ପଡ଼ିଲା ଭିତ୍ତି ପ୍ରସ୍ତର, ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି । ଆଜି ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୨୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାଦ୍ୱାରା ପ୍ରାୟ ୧୦୦୦ ପ୍ରଫେସନାଲ ମାନଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡିଶାର ବିକାଶ ଯାତ୍ରା ଆହୁରି ମଜବୁତ୍ ହେଉଛି। ଏହି ମୁହୂର୍ତ୍ତ କେବଳ ଇଟା ଏବଂ ସିମେଣ୍ଟ ବିଷୟରେ ନୁହେଁ; ଏହା ଆକାଂକ୍ଷା, ସ୍ଥିରତା, ସହଯୋଗ, ଏବଂ ଆତ୍ମନିର୍ଭରଶୀଳତାର ଉଦାହରଣ । ଏଥିରେ ଯେଉଁ ସେମିକଣ୍ଡକ୍ଟର ନିର୍ମିତ ହେବ, ତାହା ମିଜାଇଲ, ଇଲେକ୍ଟ୍ରୋନିକ୍ ଗାଡି, ପ୍ରତିରକ୍ଷା ଇକ୍ୟୁପ୍‌ମେଣ୍ଟ, ରେଲୱେ ଓ ସୌରଶକ୍ତି ଭଳି ଆଧୁନିକ କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଆଜି ଭୁବନେଶ୍ୱର ଆଇ.ଆଇ.ଟି ରେ ମଧ୍ୟ SicSem କମ୍ପାନୀ ୬୪ କୋଟି ଟଙ୍କା ବିନିଯୋଗରେ ଏକ ରିସର୍ଚ୍ଚ ଆଣ୍ଡ ଇନୋଭେସନ ସେଣ୍ଟର ସ୍ଥାପନ କରିଛି। କେନ୍ଦ୍ର ରେଳ ମନ୍ତ୍ରୀ ତାଙ୍କ MP LAD ଫଣ୍ଡରୁ ୫ କୋଟି ଟଙ୍କା ବିନିଯୋଗ କରି ଆଇ.ଆଇ.ଟି ଭୁବନେଶ୍ୱରରେ ଏକ ‘ନମୋ ସେମିକଣ୍ଡକ୍ଟର ଲାବୋରେଟୋରି’ ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି । ଏହା ସ୍ଥାପନ ହେବା ଦ୍ୱାରା ଛାତ୍ରଛାତ୍ରୀ ମାନେ ସେମିକଣ୍ଡକ୍ଟର ସମ୍ପର୍କରେ ଅଧିକ ଗବେଷଣାର ସୁଯୋଗ ପାଇବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯାହା ପୂର୍ବରୁ ବର୍ଷ ବର୍ଷ ସମୟ ଲାଗି ଯାଉଥିଲା ତାହା ଏବେ ମାସକରେ ସମ୍ପୂର୍ଣ୍ଣ ହେଉଛି। ଏହା ହେଉଛି ନୂତନ ଭାରତର ଗତି ଏବଂ ଶକ୍ତି। ବେଙ୍ଗାଲୁରୁ ପରେ, ଆଜି ଓଡ଼ିଶା ଭାରତର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜଧାନୀ ଭାବରେ ଉଭା ହେଉଛି। “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ଭାରତ ଚିପ୍ ରୁ ସିପ୍ ପର୍ଯ୍ୟନ୍ତ ସମସ୍ତ ମିଶନରେ ଆଗକୁ ବଢ଼ୁଛି । ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଆତ୍ମନିର୍ଭରଶୀଳତାର ଓଡିଶା ଏକ ନୂତନ କାହାଣୀ ସୃଷ୍ଟି କରୁଛି ବୋଲି ସେ କହିଥିଲେ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL