ଅର୍ଥନୀତି ଓଡ଼ିଶା ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ରାଜ୍ୟରେ ସବୁଜ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା ଓ ସଂଯୋଜନ ବିଭାଗ ଏବଂ ସିଇଇଡବ୍ଲ୍ୟୁ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର ତା-୧୭.୧୨.୨୦୨୪

            ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ  ବିଭାଗ ଏବଂ ଶକ୍ତି, ପରିବେଶ ଓ ଜଳ ପରିଷଦ (ସିଇଇଡବ୍ଲ୍ୟୁ) ସହ ଏକ ବୁଝାମଣାପତ୍ର ଆଜି ସ୍ୱାକ୍ଷରିତ ହୋଇଯାଇଛି ।  ଏହି ବୁଝାମଣା ପତ୍ର ଗ୍ରୀନ୍ ଓଡ଼ିଶା ଇନିସିଏଟିଭ୍  ମାଧ୍ୟମରେ ଓଡ଼ିଶାର ସବୁଜ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ  ଶ୍ରୀ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ   ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।  ଇପିକଲ  ଏବଂ ଇଡକୋ,  ଓଡ଼ିଶାର  ପରିଚାଳନା ନିର୍ଦ୍ଦେଶକ  ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ ଏବଂ ସିଇଇଡବ୍ଲ୍ୟୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଡ. ଅରୁଣାଭ ଘୋଷ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।

                 ଏହି ପଦକ୍ଷେପ, ବିଭିନ୍ନ ସବୁଜ ମୂଲ୍ୟ ଶୃଙ୍ଖଳା,  ଉଦ୍ଭାବନ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରି, ଘରୋଇ ପୁଞ୍ଜିକୁ ଆକୃଷ୍ଟ             କରିବା ଏବଂ ନାଗରିକ ସମାଜର ସମର୍ଥନ ହାସଲ କରି ସବୁଜ ଅର୍ଥନୀତିକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେବ । ଏହି      ସହଯୋଗ           ମାଧ୍ୟମରେ ସିଇଇଡବ୍ଲୁ ଏକ ମୂଲ୍ୟବାନ ଜ୍ଞାନ ଅଂଶୀଦାର ଭାବରେ କାର୍ଯ୍ୟ କରିବ ଏବଂ ଗ୍ରୀନ୍ ଓଡ଼ିଶା ଇନିସିଏଟିଭ୍ରେ ରାଜ୍ୟର         ଦୃଷ୍ଟିକୋଣକୁ କାର୍ଯ୍ୟରେ ପରିଣତ କରିବାରେ ସହଯୋଗ କରିବ ।

                 ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଗର୍ଗ କହିଛନ୍ତି ଯେ,          ଏହି ବୁଝାମଣାପତ୍ର ଓଡ଼ିଶାରେ ସବୁଜ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ଦର୍ଶାଉଛି ।   ରାଜ୍ୟର ବିକାଶ ଏଜେଣ୍ଡାରେ ସବୁଜ ଅର୍ଥନୀତିକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ        ସିଇଇଡବ୍ଲ୍ୟୁ ସହଯୋଗରେ ଗ୍ରୀନ୍ ଓଡ଼ିଶା ଆଭିମୁଖ୍ୟକୁ ବାସ୍ତବ ରୂପ ଦେବାକୁ ଚାହୁଁଛି । ଏହି ସହଯୋଗୀ ପ୍ରୟାସର ତିନୋଟି ସ୍ତମ୍ଭ         ରହିଛି ଯଥା ଶକ୍ତି ପରିବର୍ତ୍ତନ, ସର୍କୁଲାର ଅର୍ଥନୀତି ଏବଂ ବାୟୋ-ଇକୋନୋମି, ଯେଉଁଥିରେ  ନିଯୁକ୍ତି ସୃଷ୍ଟି ଏବଂ ସବୁଜ ଅଭିବୃଦ୍ଧି ଭଳି         ଦୁଇଛି ଉଦ୍ଦେଶ୍ୟ ନିହିତ ରହିଛି । ଅର୍ଥନୈତିକ ସମୃଦ୍ଧି ଏବଂ ପ୍ରାକୃତିକ ପୁଞ୍ଜିକୁ ଏକାସାଙ୍ଗରେ ନେଇ ଓଡ଼ିଶାକୁ ଏକ ନିରନ୍ତର ଏବଂ       ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଏହି ନିଷ୍ପତ୍ତି ଏକ ଅନନ୍ୟ ପଦକ୍ଷେପ ବୋଲି ସେ ପ୍ରକାଶ କରିଥିଲେ ।

                 ସିଇଇଡବ୍ଲ୍ୟୁର ସିଇଓ ଡ. ଅରୁଣାଭା ଘୋଷ କହିଥିଲେ ଯେ, ନିରନ୍ତର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ଅଗ୍ରଗତିଶୀଳ   ଆଭିମୁଖ୍ୟ ଉପରେ ଧ୍ୟାନ ଦେଇ ଶକ୍ତି ପରିବର୍ତ୍ତନ, ଜୈବ ଅର୍ଥନୀତି, ପ୍ରକୃତିଭିତ୍ତିକ ସମାଧାନ ଏବଂ ସର୍କୁଲାର ଅର୍ଥନୀତି ସମେତ          ବିଭିନ୍ନ ସବୁଜ ଅର୍ଥନୈତିକ କ୍ଷେତ୍ରକୁ ଏକାଠି କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଏହି କ୍ଷେତ୍ରଗୁଡ଼ିକ କେବଳ ସବୁଜ କ୍ଷେତ୍ରରେ ନିଯୁକ୍ତି          ସୃଷ୍ଟି କରିବାର ପ୍ରଚୁର ସମ୍ଭାବନା ରଖିନାହିଁ ବରଂ ସୁଦୃଢ଼ ଏବଂ ଅନ୍ତର୍ଭୁକ୍ତିକରଣ ଅର୍ଥନୈତିକ ସମୃଦ୍ଧିର ପ୍ରତିଶ୍ରୁତି ଦେଉଛି । ଗ୍ରୀନ୍ ଓଡ଼ିଶା            ଇନିସିଏଟିଭ୍ ଜରିଆରେ ସିଇଇଡବ୍ଲ୍ୟୁ ଏକ ସାମଗ୍ରିକ ସବୁଜ ଅର୍ଥନୀତି ଗଠନରେ ରାଜ୍ୟ ସହ ଭାଗିଦାରୀ କରି ଉତ୍ସାହିତ ଅଛି,  ଯାହା   ବର୍ତ୍ତମାନ ଏବଂ ଭବିଷ୍ୟତରେ ଓଡ଼ିଶାବାସୀଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।

                ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଏ ସଂପର୍କରେ ରାଜ୍ୟର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ଓଡ଼ିଶାର   ବିଭିନ୍ନ ବିଭାଗରୁ ସଂଗ୍ରହ କରାଯାଇଥିବା ଗବେଷଣା ଓ ତଥ୍ୟକୁ ଆଧାର କରି ସିଇଇଡବ୍ଲ୍ୟୁ ଏହାର ଅନନ୍ୟ ଓ କାର୍ଯ୍ୟାନୁଷ୍ଠାନ ଭିତ୍ତିକ            କାର୍ଯ୍ୟକ୍ରମ ଆଧାରରେ  ଆଗାମୀ  ୩ ମାସ ମଧ୍ୟରେ ରାଜ୍ୟର ଅତି କମରେ ୬ଟି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ        ଦେଇଥିଲେ ।  

                ଏହି ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଅନ୍ୟମାନଙ୍କ ମଧ୍ୟରେ  ଶିଳ୍ପ ଓ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ                   ଶ୍ରୀ ହେମନ୍ତ ଶର୍ମା, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତଥା ବାଣିଜ୍ୟ ଏବଂ ପରିବହନ ବିଭାଗ  ପ୍ରମୁଖ ଶାସନ  ସଚିବ     ଶ୍ରୀମତୀ ଊଷା ପାଢ଼ୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ  ପ୍ରମୁଖ ଶାସନ ସଚିବ ଶ୍ରୀ ଏନବିଏସ୍ ରାଜପୁତ, ଯୋଜନା ଓ ସଂଯୋଜନ ବିଭାଗର ଅଧିକାରୀ, ସିଇଇଡବ୍ଲୁର ନିର୍ଦ୍ଦେଶକ ଶ୍ରୀ ଅଭିଷେକ ଜୈନଙ୍କ ସମେତ ପରିଷଦର ଅନ୍ୟ କର୍ମକର୍ତ୍ତା ପ୍ରମୁଖ              ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ପଠାଣି ରାଉତ

ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ

Tag:

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL