ଜାତୀୟ ଜ଼ିଲ୍ଲା

କୃଷକମାନଙ୍କୁ ସବୁ ପରିସ୍ଥିତିରେ ଉନ୍ନତ ମାନର ସାର, ବିହନ ଏବଂ କୀଟନାଶକ ମିଳିବା ଉଚିତ୍ – ଶ୍ରୀ ଶିବରାଜ ସିଂ ଚୌହାନ

  • ନକଲି ସାର, ବିହନ ଓ କୀଟନାଶକ ମାମଲାରେ ଦୋଷୀଙ୍କୁ ଛଡ଼ାଯିବା ଉଚିତ ନୁହେଁ, ରାଜ୍ୟ ସରକାର ଏଥିପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରିବା ଆବଶ୍ୟକ – ଶ୍ରୀ ଚୌହାନ
  • କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଆମେ କୃଷକମାନଙ୍କ ଅଭିଯୋଗ ଉପରେ ନୀରବ ଦର୍ଶକ ହୋଇ ରହିପାରିବୁ ନାହିଁ
  • କୃଷକଙ୍କ କଲ୍ୟାଣ ପାଇଁ ସବୁ ବିଭାଗ ମିଳିତ ଅଭିଯାନ ଚଳାଇବା ଦରକାର : ଶ୍ରୀ ଚୌହାନ

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଦେଶର କୃଷକମାନଙ୍କୁ ସମସ୍ତ ପରିସ୍ଥିତିରେ ଉନ୍ନତ ମାନର ସାର, ବିହନ ଏବଂ କୀଟନାଶକ ମିଳିବା ସୁନିଶ୍ଚିତ କରାଯିବା ଉଚିତ୍ । ଏହି ପରିପ୍ରେକ୍ଷୀରେ ଶ୍ରୀ ଚୌହାନ ତାଙ୍କ ମନ୍ତ୍ରଣାଳୟର ବିଭାଗୀୟ ସମୀକ୍ଷା ସମୟରେ କୃଷକଙ୍କ ବୃହତ୍ତର କଲ୍ୟାଣ ପାଇଁ ଦୋଷୀଙ୍କ ବିରୋଧରେ କଠୋର ଓ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ରାଜ୍ୟରେ ଏଭଳି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରଭାବଶାଳୀ ନୁହେଁ ଏବଂ ସେମାନଙ୍କୁ ମୁକ୍ତ ରଖାଯାଇଛି, ସେ ନିଜେ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ସହ ଏ ବିଷୟରେ କଥା ହେବେ, ଯାହାଦ୍ୱାରା ରାଜ୍ୟ ସ୍ତରରେ ଲଗାତାର ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯେଉଁମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ସେମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ଯାହା ଦ୍ୱାରା ଏଭଳି ଜଘନ୍ୟ କାର୍ଯ୍ୟ ବନ୍ଦ ହୋଇପାରିବ। ଦେଶର ସାଧାରଣ କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯେକୌଣସି ପରିସ୍ଥିତିରେ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଚାହୁଁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।

ନୂଆଦିଲ୍ଲୀସ୍ଥିତ କୃଷି ଭବନରେ କୃଷି ମନ୍ତ୍ରଣାଳୟର ବିଭାଗୀୟ ସମୀକ୍ଷା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କୃଷକମାନଙ୍କୁ ସବୁବେଳେ ଉନ୍ନତମାନର କୀଟନାଶକ, ବିହନ ଏବଂ ସାର ଉପଲବ୍ଧ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଲୋକପାତ କରିଥିଲେ ଯେ କୃଷକମାନେ ଅନେକ ସମୟରେ ନିମ୍ନମାନର ସାମଗ୍ରୀ ପାଇବା ବିଷୟରେ ଅଭିଯୋଗ କରନ୍ତି, ଯାହା ଫଳରେ ଯଥେଷ୍ଟ କ୍ଷତି ହୋଇଥାଏ । ଶ୍ରୀ ଚୌହାନ କହିଛନ୍ତି ଯେ ଜଣେ ଦାୟିତ୍ୱବାନ ଜନପ୍ରତିନିଧି ହିସାବରେ ଏସବୁ ସମସ୍ୟାର ସମାଧାନ କରିବା ଜରୁରୀ। ନକଲି କିମ୍ବା ନିମ୍ନମାନର କୀଟନାଶକ, ସାର ଓ ବିହନ ବଣ୍ଟନକୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ ଆଗାମୀ ଫସଲ ଋତୁକୁ ଦୃଷ୍ଟିରେ ରଖି କୃଷକମାନଙ୍କୁ ଏ ଦିଗରେ ଆଶ୍ୱସ୍ତି ମିଳିବା ଦରକାର, ଏଥିପାଇଁ ସେ ଖୁବଶୀଘ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ, କାରଣ ମୁଖ୍ୟତଃ ରାଜ୍ୟସ୍ତରରେ ପ୍ରଭାବଶାଳୀ ପଦକ୍ଷେପ ନିଆଯାଏ । ସମୀକ୍ଷା ବେଳେ ଶ୍ରୀ ଶିବରାଜ ସିଂହ ଚୌହାନ ପ୍ରଶ୍ନ କରିଥିଲେ ଯେ ଯେଉଁମାନେ ଏଭଳି ନକଲି ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହି ସମୟରେ ଅନେକ ରାଜ୍ୟରେ ତଦନ୍ତ ଓ ଅଭିଯାନ ସ୍ତରରେ ମଧ୍ୟ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଜଣାପଡ଼ିଥିଲା। ଅଧିକାଂଶ ଦୋଷୀ ଦୋଷମୁକ୍ତ ହୁଅନ୍ତି କିମ୍ବା ଖୁବ୍ କମ୍ ଦଣ୍ଡ ପାଇଥାନ୍ତି। ଯାହା ଉପରେ ଶ୍ରୀ ଚୌହାନ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରି ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ, ଯେ କୌଣସି ପରିସ୍ଥିତିରେ ରାଜ୍ୟରେ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉ। ନିମ୍ନମାନର ସାର, ବିହନ ଓ କୀଟନାଶକ କ୍ଷେତ୍ରରେ ବଡ଼ ବିକ୍ରେତା ଓ ଉତ୍ପାଦକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପ୍ରଚଳିତ ଆଇନ, ନିୟମ ଓ ପଦ୍ଧତିକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରାଯିବା ଉଚିତ୍।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ସଂପୃକ୍ତ ବିଭାଗ ମିଳିତ ଭାବେ ଉନ୍ନତ ମାନର କୀଟନାଶକ ଏବଂ ସାର ସୁନିଶ୍ଚିତ କରିବା ପାଇଁ ଏକ ଅଭିଯାନ ଚଳାଇବା ଉଚିତ୍ । ବୈଠକରେ କେନ୍ଦ୍ରମନ୍ତ୍ରୀ ସାର, ବିହନ ଓ କୀଟନାଶକ ସମ୍ପର୍କରେ ମିଳିତ ଅଭିଯାନ ଚଳାଇବା ପାଇଁ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରି ଯଥାଶୀଘ୍ର ଦାଖଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ୱାରା କୋଟି କୋଟି କୃଷକଙ୍କ ସ୍ୱାର୍ଥରେ କୌଣସି ବିଳମ୍ବ ନକରି ସାରା ଦେଶରେ ରାଜ୍ୟ ସରକାରମାନେ ଏହି ଅଭିଯାନକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିପାରିବେ । ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ, ଏ ସଂକ୍ରାନ୍ତରେ କୃଷକମାନଙ୍କଠାରୁ ମଧ୍ୟ ମତାମତ ନିଆଯିବା ଉଚିତ, କାରଣ ବାସ୍ତବରେ ନିମ୍ନମାନର ସାମଗ୍ରୀ ଯୋଗୁଁ ଚାଷୀ ପ୍ରଭାବିତ ହେଉଛନ୍ତି ଏବଂ ଫସଲ ନଷ୍ଟ ହେଉଛି।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL