କ୍ରୀଡା ସାପ୍ତାହିକ

ବର୍ଡର-ଗାଭାସ୍କର ଟ୍ରଫି: ଅଭ୍ୟାସ ମ୍ୟାଚ୍‌ ୩୦ରୁ: କାନ୍‌ବେରାରେ ଭାରତୀୟ ଦଳ

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍‌ ଦଳ ବୁଧବାର କାନବେରାରେ ପହଞ୍ଚିଛି। ଏଠାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ଦଳ ବିପକ୍ଷରେ ଭାରତୀୟ ଦଳ ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଖେଳିବ।

କାନବେରା: ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍‌ ଦଳ ବୁଧବାର କାନବେରାରେ ପହଞ୍ଚିଛି। ଏଠାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ଦଳ ବିପକ୍ଷରେ ଭାରତୀୟ ଦଳ ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଖେଳିବ। ତେବେ ଭାରତୀୟ ଦଳ ଏଠାରେ ପହଞ୍ଚିବା ପୂର୍ବରୁ ବିରାଟ କୋହଲି ପହଞ୍ଚି ସାରିଥିଲେ। ଆଡିଲେଡ୍‌ରେ ଡିସେମ୍ବର ୬ରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ନଭେମ୍ବର ୩୦ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଏହି ଦିବାରାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ଅଭ୍ୟାସ ମ୍ୟାଚ୍‌ ରୋହିତ ଶର୍ମାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। କାରଣ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିବାରୁ ପ୍ରଥମ ଟେଷ୍ଟ୍‌ରେ ଖେଳିପାରି ନଥିଲେ। ତାଙ୍କ ସ୍ଥାନରେ ଯଶପ୍ରୀତ୍‌ ବୁମ୍‌ରା ଦଳର ନେତୃତ୍ବ ନେଇଥିଲେ। ଅଷ୍ଟ୍ରେଲୀୟ ପରିବେଶ ସହିତ ଖାପଖୁଆଇବାକୁ ରୋହିତଙ୍କ ପାଇଁ ଅଭ୍ୟାସ ମ୍ୟାଚ୍‌ ଉପଯୋଗୀ ହୋଇପାରିବ।

ଆଡିଲେଡ୍‌ରେ ଗିଲ୍‌ ଖେଳିବେନି
ଭାରତର ତୃତୀୟ ସ୍ଥାନର ଖେଳାଳି ଶୁବମନ ଗିଲ୍‌କୁ ପ୍ରତ୍ୟାବର୍ତ୍ତନ ପାଇଁ ଅଧିକ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ। ‌ସେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନଥିବାରୁ ଦ୍ବିତୀୟ ଟେଷ୍ଟ୍‌ରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଅନ୍ତଃଦଳୀୟ ଅଭ୍ୟାସ ମ୍ୟାଚ୍ ବେଳେ ଗିଲ୍‌ଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଥିଲା। ଯେଉଁଥିପାଇଁ ପର୍ଥରେ ସେ ଖେଳିପାରି ନଥିଲେ। ଏବେ ତାଙ୍କୁ ପାଖାପାଖି ଦୁଇ ସପ୍ତାହ ବିଶ୍ରାମ କରିବାକୁ ପରାମର୍ଶ ଦିଆଯାଇଛି। ଶୃଙ୍ଖଳାରେ ସିଧାସଳଖ ଖେଳିବାକୁ ହେଲେ କିଛି ଅଭ୍ୟାସ ମ୍ୟାଚ୍‌ରେ ପରୀକ୍ଷା ଦେଇ ନିଜକୁ ସଂପୂର୍ଣ୍ଣ ଭାବେ ପ୍ରମାଣିତ କରିବାକୁ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଦ୍ବିତୀୟ ଟେଷ୍ଟ୍‌ ପାଇଁ ଅଷ୍ଟ୍ରେଲିଆ ଦଳରେ ୱେବଷ୍ଟର୍‌
ଅାଡିଲେଡ୍‌ ଟେଷ୍ଟ୍‌ ପାଇଁ ଅଷ୍ଟ୍ରେଲିଆ ଦଳରେ ସାମିଲ ହେବେ ନବାଗତ ବେଉ ୱେବଷ୍ଟର୍‌। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମିଚେଲ ମାର୍ସ ଆହତ ଥିବାରୁ ତାଙ୍କର ବଦଳ ଖେଳାଳି ଭାବେ ୱେବଷ୍ଟର୍‌ଙ୍କୁ ଦଳରେ ସାମିଲ କରାଯାଉଛି। ସିଫିଲ୍ଡ ସିଲ୍ଡରେ ଟାସ୍‌ମେନିଆ ପକ୍ଷରୁ ଖେଳିଥିବା ୱେବଷ୍ଟର୍‌ ନ୍ୟୁ ସାଉଥୱେଲ୍ସ ବିପକ୍ଷରେ ଯଥାକ୍ରମେ ୬୧ ଓ ୪୯ ସ୍କୋର କରିବା ସହିତ ୩/୮୧, ୨/୨୫ ବୋଲିଂ ଚିତ୍ର ପାଇଥିଲେ। ନିକଟରେ ଭାରତ-ଏ’ ବିପକ୍ଷରେ ଅଷ୍ଟ୍ରେଲିଆ-ଏ’ର ବିଜୟରେ ମଧ୍ୟ ତାଙ୍କର ବଡ଼ ଭୂମିକା ଥିଲା। ସେ ୧୪୫ ରନ୍‌ ସଂଗ୍ରହ କରିବା ସହ ୭ ୱିକେଟ୍‌ ଅକ୍ତିଆର କରିଥିଲେ।

ଅଭ୍ୟାସ ମ୍ୟାଚ୍‌ରେ ଲବୁସାନ୍‌ ଖେଳିବେନି
ଅଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ମାର୍ନସ ଲବୁସାନ୍‌ ଖେଳିବେନି। କାରଣ ଚୟନକର୍ତ୍ତାମାନେ ତାଙ୍କୁ ଏହି ମ୍ୟାଚ୍‌ରେ ଖେଳାଇବାକୁ ମନା କରିଦେଇଛନ୍ତି। ଲବୁସାନ (୨, ୩) ଓ ସ୍ମିଥ୍‌ (୦,୧୭) ଭାରତ ବିପକ୍ଷରେ ଦୁଇଟି ପାଳିରେ ନିରାଶ କରିଥିଲେ। ତେଣୁ ସେମାନଙ୍କୁ ଅଭ୍ୟାସ ମ୍ୟାଚ୍‌ ଖେଳିବା ଅପେକ୍ଷା ବ୍ୟାଟିଂ ଅଭ୍ୟାସ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଏକାଦଶରେ ମୁଖ୍ୟତଃ ଯୁବ ଖେଳାଳିଙ୍କୁ ଗୁରୁତ୍ବ ଦିଆଯାଉଛି। ଯେଉଁଥିରେ ଜାକ୍‌ ଏଡ୍‌ୱାର୍ଡ୍ସଙ୍କ ନେତୃତ୍ବରେ ସାମ୍‌ କନ୍‌ଷ୍ଟାସ୍‌, ମ୍ୟାଟ୍‌ ରେନ୍‌ସ, ଦ୍ରୁତ ବୋଲର ସ୍କଟ୍‌ ବୋଲାଣ୍ଡଙ୍କ ଭଳି ଖେଳାଳି ଖେଳିବେ।

Tag:

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL